ଟୋକିଓରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉ ହେଉ କାନ୍ଦିଲେ ଭାରତୀୟ ହକି ଦଳର ଖେଳାଳି
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଐତିହାସିକ ପଦକରୁ ବଞ୍ଚିତ ହୋଇଛି। ଦଳ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ୍ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛନ୍ତି । କିନ୍ତୁ ସେମାନେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଦୟ ଜିଣିଛନ୍ତି। ତେବେ ପରାଜୟରେ ମ୍ରିୟମାଣ ଖେଳାଳିଙ୍କୁ ସାନ୍ତ୍ଵନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଫୋନ କରିବା ମାତ୍ରେ ଖେଳାଳି ମାନେ ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ସାନ୍ତ୍ଵନା ଦେଇ ଉତ୍ସାହିତ କରିଥିଲେ ଏବଂ ଆପଣ ଦେଶର ଗର୍ବ ବୋଲି କହିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି। ଅଲିମ୍ପିକ୍ସ ଖେଳରେ ଭାରତୀୟ ଖେଳାଳି ଦମଦାର ପ୍ରୟାସରେ ସମସ୍ତଙ୍କୁ ଅଭିଭୂତ କରିଛନ୍ତି। ବିଶେଷ କରି ହକିରେ ଆମର ପୁରୁଷ-ମହିଳା ଯେଉଁ ଇଚ୍ଛାଶକ୍ତି ଦେଖାଇଛନ୍ତି, ବିଜୟ ପ୍ରତି ଯେଉଁ ଆତ୍ମ ବିଶ୍ଵାସ ଦେଖାଇଛନ୍ତି, ଆଗାମୀ ପିଢି ପାଇଁ ବହୁତ ବଡ ପ୍ରେରଣା ପାଲଟିବ।
ପ୍ରଧାନମନ୍ତ୍ରୀ :- ଆପଣ ସମସ୍ତଙ୍କୁ ମୋର ମମସ୍କାର।
ମହିଳା ହକି ଖେଳାଳି :- ସମସ୍ତେ, ନମସ୍ତେ ସାର।
ପ୍ରଧାନମନ୍ତ୍ରୀ :- ଆପଣ ସମସ୍ତେ ଖୁବ୍ ଭଲ ଖେଳିଲେ। ଆପଣ ଖେଳରେ ବହୁତ ଝାଳ ବୁହାଇଛନ୍ତି। ସବୁ କିଛି ଛାଡି ସାଧନା କରୁଥିଲେ। ଆପଣଙ୍କ ଝାଳ ପଦକ ଜିତି ପାରିଲା ନାହିଁ। କିନ୍ତୁ କୋଟି କୋଟି ଝିଅଙ୍କ ପ୍ରେରଣା ପାଲଟିଗଲା। ଆପଣଙ୍କ ସମସ୍ତ ସାଥୀ ଏବଂ କୋଚ୍ଙ୍କୁ ଅଭିନନ୍ଦନ ଜଣାଉଛି। କଦାପି ନିରାଶ ହୁଅନ୍ତୁ ନାହିଁ। ମୁଁ ଦେଖିଥିଲି ନବନୀତଙ୍କ ଆଖିରେ କିଛି ଆଘାତ ଲାଗିଛି।
ମହିଳା ହକି ଖେଳାଳି :- ହଁ କାଲି ଆଘାତ ଲାଗିଥିଲା। ଚାରୋଟି ଷ୍ଟିଜ୍ ପଡିଛି।
ପ୍ରଧାନମନ୍ତ୍ରୀ :- ଆପଣଙ୍କୁ କୌଣସି ଅସୁବିଧା ହୋଇନି ତ। ବନ୍ଦନା ଆପଣ ସମସ୍ତେ ବହୁତ ଭଲ କରିଛନ୍ତି। ସଲିମା ତ କମାଲ କରି ଦେଲେ।
ମହିଳା ହକି ଖେଳାଳି :- ଥାଙ୍କୟୁ ସୋ ମଚ୍ ସାର।
ପ୍ରଧାନମନ୍ତ୍ରୀ :- ଦେଖନ୍ତୁ ଆପଣ ସମସ୍ତଙ୍କୁ ନିରାଶ ହେବାର ନାହିଁ। ଦେଶ ଆଜି ଆପଣଙ୍କ ଉପରେ ଗର୍ବ କରୁଛି। କଦାପି ନିରାଶ ହୁଅନ୍ତୁ ନାହିଁ। ହକି ଭାରତର ପରିଚୟ। ଏତେ ଦଶନ୍ଧି ପରେ ଭାରତର ହକି ପୁନର୍ଜିବିତ ହେଉଛି। ଆପଣଙ୍କ ପରିଶ୍ରମ କାରଣରୁ ଏସବୁ ହୋଇ ପାରୁଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମହିଳା ହକି ଦଳର କୋଚ୍ଙ୍କ ସହ ମଧ୍ୟ କଥା ହୋଇଛନ୍ତି।
ସୂଚନା ଯେ, ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ ଜିତିବାର ସୁଯୋଗ ହାତରୁ ଚାଲିଯାଇଥିବାରୁ ମହିଳାମାନେ ନିଜର କୋହକୁ ରୋକିପାରିନଥିଲେ। ବ୍ରିଟେନ୍ ଖେଳାଳିମାନେ ଖେଳୁଆଡ଼ ମନୋଭାବ ଦେଖାଇ ଭାରତୀୟ ମହିଳାଙ୍କ ସାନ୍ତ୍ୱନା ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି।
