ବାଲେଶ୍ୱର : ଜିଲାସ୍ତରୀୟ ସ୍ୱାଧୀନତା ଦିବସ-୨୦୨୧ ପାଳନ ନିମନ୍ତେ ପ୍ରସ୍ତୁତି
- କୋଭିଡ-୧୯ କଟକଣା ମଧ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ
ବାଲେଶ୍ୱର : ଚଳିତବର୍ଷ କୋଭିଡ୍-୧୯ କଟକଣା ମଧ୍ୟରେ ପାଳନ କରାଯିବ ଜିଲାସ୍ତରୀୟ ସ୍ୱାଧୀନତା ଦିବସ । ଓଡିଶା ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସ୍ୱାଧୀନତା ଦିବସ-୨୦୨୧ ପାଳନ କରାଯିବ ।ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି ।
ବାଲେଶ୍ୱର ପୌରାଞ୍ଚଳରେ ପ୍ରତ୍ୟୁଷରେ ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସକାଳ ଘ୭.୩୦ ମିନିଟ ସୁଦ୍ଧା କୋଭିଡ ନିୟମର ଅନୁପାଳନ ପୂର୍ବକ ଜାତୀୟ ପତାକା ଉତୋଳନ କରାଯିବ । ସ୍ଥାନୀୟ ପୋଲିସ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତୋଳନ କରିବେ । ଚଳିତ ବର୍ଷ ଆନୁଷ୍ଠାନିକ ପରେଡ/ମାର୍ଚ୍ଚପାଷ୍ଟ ହେବ ନାହିଁ । କେବଳ ପୋଲିସ ବାହିନୀ ଜାତୀୟ ପତାକାକୁ ସମ୍ମାନ ଜଣାଇ ସଲାମୀ ଦେବେ । ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ ନାହିଁ । ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକା ଅନୁଯାୟୀ କୋଭିଡ ଯୋଦ୍ଧାଙ୍କ ସମେତ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ପଡିଆ ମଧ୍ୟକୁ ଯିବା ପାଇଁ ଦର୍ଶକମାନଙ୍କୁ ଅନୁମତି ଦିଆଯିବ ନାହିଁ । କୋଭିଡ କଟକଣା ଅନୁଯାୟୀ ପଡିଆ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ପାଳନ ପୂର୍ବରୁ ପଡିଆକୁ ଭଲ ଭାବେ ସାନିଟାଇଜ୍ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନଲାଇନ ପ୍ରବନ୍ଧ, କୁଇଜ ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ମଂଚ ସଜ୍ଜା, ପରିମଳ, ଆଶୁ ଚିକିତ୍ସା, ଆଇନଶୃଙ୍ଖଳା, ପାନୀୟ ଜଳ, ଅତିଥି ବସିବା ସ୍ଥାନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବ୍ଲକ ଓ ପଂଚାୟତସ୍ତରରେ ମଧ୍ୟ ସ୍ୱରାଷ୍ଟ୍ର ବିଭାଗର ମାର୍ଗଦର୍ଶିକାର ଅନୁପାଳନ କରି ସ୍ୱାଧୀନତା ଦିବସ ପାଳନ କରିବା ନିମନ୍ତେ ସ୍ଥିରୀକୃତ ହୋଇଛି । ବୈଠକରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର କୁନାଲ ଚୌହାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ଜିଲାସ୍ତରୀୟ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପୂର୍ବ ବର୍ଷର ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


