ବାଲେଶ୍ୱର : ଟୋକିଓ ଅଲମ୍ପିକ ଅବସରରେ ପ୍ରଦର୍ଶିତ ହେବ ଅର୍ଚ୍ଚନାଙ୍କ ପେଣ୍ଟିଙ୍ଗ
ବାଲେଶ୍ୱର : ବାଲେଶ୍ୱରର ଚିତ୍ରଶିଳ୍ପୀ ଅର୍ଚ୍ଚନା ଜେନାଙ୍କର ପେଣ୍ଟିଙ୍ଗ ଟୋକିଓ ଅଲମ୍ପିକ ଅବସରରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି । ଆସନ୍ତା ୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହେବାକୁ ଥିବା ଏହି ଆର୍ନ୍ତଜାତିକ ଚିତ୍ରକୃତି ପଦର୍ଶନୀରେ ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଶ୍ରୀମତୀ ଅର୍ଚ୍ଚନା ଜେନାଙ୍କର ଏକ ପେଣ୍ଟିଙ୍ଗ ବିଚାରକ ମାନଙ୍କ ଦ୍ୱାରା ମନୋନୀତ ହୋଇଥିବାରୁ ତାଙ୍କୁ ଏହି ବିରଳ ସୁଯୋଗ ମିଳିଛି । ‘ଦି ଫାଇଟ’ ଶିରୋନାମାରେ ପ୍ରସ୍ତୁତ ଏହା ଶିଳ୍ପକୃତିଟି ଭାରତୀୟ ଚିତ୍ରଶିଳ୍ପୀ ମହାସଙ୍ଘ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶିତ ହେଉଥିବା ଜାଣି ଅର୍ଚ୍ଚନାଙ୍କ ପରିବାର ଓ ଓଡ଼ିଶାର ଚିତ୍ରଶିଳ୍ପୀମାନଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି ।
ରେମୁଣାର ଜାନୁଗଞ୍ଜ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଶିକ୍ଷୟତ୍ରୀ ରୂପେ କାର୍ଯ୍ୟରତ ଶ୍ରୀମତୀ ଜେନା ପୂର୍ବରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ଅର୍ଥରାଶି ଦ୍ୱାରା ପୁରସ୍କୃତ ହୋଇଛନ୍ତି । ସିଡ଼ାକ ଦ୍ୱାରା ମଧ୍ୟ କ୍ରାଫ୍ଟ ଡିଜାଇନରେ ସାର୍ଟିଫିକେଟ ପ୍ରାପ୍ତ ଅର୍ଚ୍ଚନା ପୂର୍ବରୁ ଓଡ଼ିଶା ଓ ଓଡ଼ିଶା ବାହାରର ବିଭିନ୍ନ ଆର୍ଟ ଶିବିରରେ ଯୋଗଦେଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ବିଶିଷ୍ଟ କବି ତଥା ସେବା ନିବୃତ୍ତ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ନାଥ ଜେନାଙ୍କ କନ୍ୟା ଅର୍ଜନା ଅହମଦାବାଦ ସ୍ଥିତ କରୁର ବୈଶ୍ୟ ବ୍ୟାଙ୍କର ଚିଫ ମେନେଜର ସଞ୍ଜିବ କୁମାର ଜେନାଙ୍କର ସହଧର୍ମିଣୀ ଅଟନ୍ତି ।
