ଆଜି ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି!
ପୁରୀ : ରାଜ୍ୟରେ କରୋନାର ୨ୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ମନ୍ଦିରରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ । କେବଳ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ମାତ୍ର ବର୍ତ୍ତମାନ ସଂକ୍ରମଣ କମିବା ପରେ ରାଜ୍ୟରେ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଏପିରିକି ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ରାଜ୍ୟ ସରକାର। ଏହି ପରିପେକ୍ଷୀରେ ରାଜ୍ୟରେ ଧିରେ ଧୀରେ ସମସ୍ତ ମନ୍ଦିର ଖୋଲିବାରେ ଲାଗିଥିବା ବେଳେ କେବେ ଖୋଲିବ ଶ୍ରୀମନ୍ଦିର ସେନେଇ ଆଶଙ୍କା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜଗା ଦର୍ଶନ ପାଇଁ ଆଜି ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଏଥିରେ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ସୂଚନା ରହିଛି ।
ଶ୍ରୀମନ୍ଦିର ଖୋଲିବ ନା ନାହିଁ ? ଯଦି ଖୋଲିବ, କ’ଣ ସବୁ କଟକଣା ରହିବ? ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଖୋଲିବା ଉପରେ ପୂର୍ବାହ୍ଣ ୧୧ଟାରେ ଏହି ଭର୍ଚୁଆଲ୍ ବୈଠକ ଡକାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭର୍ଚୁଆଲ୍ ବୈଠକରେ ଜିଲ୍ଲାପାଳ, ଏସ୍ପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ରାଜସ୍ବ ପ୍ରଶାସକଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର କୋଭିଡ୍ ପରିଚାଳନା ପାଇଁ ଗଠିତ ୭ଜଣିଆ ସେବାୟତ କମିଟିର ସମସ୍ତ ସଦସ୍ୟ ବି ଏହି ବୈଠକରେ ଉପସ୍ଥିତ ରହିବେ। ବୈଠକରେ ବିସ୍ତୃତ ଆଲୋଚନା ପରେ ଦର୍ଶନକୁ ନେଇ ଚୂଡ଼ାନ୍ତ ଏସ୍ଓପି ପ୍ରକାଶ ପାଇବ। କୋଭିଡ୍ ସଂକ୍ରମଣ ପାଇଁ ଗତ ଏପ୍ରିଲ ମାସରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି।
