ରହସ୍ୟ ଘେରରେ ଏସିଏଫଓ ମୃତ୍ୟୁ ମାମଲା : ବିଦ୍ୟାଭାରତୀଙ୍କ ଘରେ ପୋଲିସ୍
ଉଦଳା : ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଏହା ଦୁର୍ଘଟଣାଜନିତ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ସେନେଇ ପରଦା ଉଠାଇ ପାରୁନି ପୋଲିସ୍। ତେବେ ପତ୍ନୀ ବିଦ୍ୟାଭାରତୀଙ୍କୁ ପୋଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିଥିବା ବେଳେ ମଙ୍ଗଳବାର ପୁଣି ଥରେ ଜେରା ପାଇଁ ତାଙ୍କ ଘରେ ପହଞ୍ଚିଛି ପୋଲିସ ଟିମ । ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବିଦ୍ୟାଭାରତୀଙ୍କ ଗାଁ ଗୌଡ଼ରେ ପହଞ୍ଚିଛି। ଖବର ଲେଖାଯିବାକୁ ପୋଲିସ୍ ତାଙ୍କୁ ଜେରା କରୁଥିବାର ଜଣାପଡିଛି । ଏହାସହିତ ଘଟଣା ଦିନ କଟକରୁ ବିଦ୍ୟାଙ୍କୁ ନେଇ ଆସିଥିବା ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇପାରେ । ସବୁଠାରୁ ବଡ କଥା ବିଦ୍ୟାଭାରତୀଙ୍କର ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ଏବଂ ବିଭିନ୍ନ ଦିଗ ଉପରେ ଜେରା କରାଯିବାର ଆଶା କରାଯାଉଛି । ଜେରା ପରେ ପୋଲିସକୁ ଏମିତି କିଛି ତଥ୍ୟ ମିଳିପାରେ ଯାହା ପୁରା ଘଟଣାର ପର୍ଦ୍ଦାଫାଶ କରିପାରିବ ବୋଲି ଗୋଟିଏ ସମ୍ଭାବନା ଦେଖା ଦେଇଛି।
ସୂଚନା ଯେ, ଏହି ଟିମ୍ ପୂର୍ବରୁ ମଧ୍ୟ ଥରେ ବିଦ୍ୟାଭାରତୀଙ୍କୁ ପଚାର ଉଚରା କରିଥିବା ବେଳେ ଆଜି ତାଙ୍କ ଠାରୁ ଘଟଣା ସଂପର୍କରେ ଆଉ କି ତଥ୍ୟ ବାହାର କରିପାରିବ, ତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏହାବାଦ ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାରୁ ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା। ସେହି ଗାଡ଼ିର ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
