ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍
କନ୍ଧମାଳ : କନ୍ଧମାଳ ଜିଲା ଫୁଲବାଣୀ ସହରର ପଟାବାଲି ସାହିରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ରବିବାର ସନ୍ଧ୍ୟାରେ ବ୍ୟବସାୟୀ ତଥା ପୁର୍ବତନ ରୋଟାରୀ ସଭାପତି ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ଓ ବୋହୂ ସମସ୍ତେ ବ୍ରହ୍ମପୁର ଯାଇଥିଲେ । ପ୍ରଶାନ୍ତ ଏକୁଟିଆ ଘରେ ଥିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୁର୍ବୃତ୍ତ ହଠାତ ଘରକୁ ପଶି ଆସିଥିଲେ । ସେମାନେ ପ୍ରଶାନ୍ତଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ବନ୍ଧୁକରେ ମୁଣ୍ଡକୁ ଆଘାତ ଦେଇଥିଲେ।
ଏହାପରେ ହାତକୁ ଧରି ଟଙ୍କା ପଇସା କେଉଁଠି ଅଛି ପଚାରିଥିଲେ । ପ୍ରଶାନ୍ତ ଭୟରେ ସବୁ କହି ଦେଇଥିଲେ । ତିନିଜଣ ଦୁର୍ବୃତ୍ତ ଆଲମିରାରର ଲକର ଭାଙ୍ଗି ପାଖାପାଖି ୫୦ ତୋଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ ଚାଲିଯାଇଥିଲେ । ଏହାପରେ ପ୍ରଶାନ୍ତ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ଫୁଲବାଣୀ ଏଲଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରମୁଖ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
