ଆଜିଠାରୁ ଖୋଲିବ କୋଣାର୍କ ମନ୍ଦିର, ଅନ୍ଲାଇନ୍ରେ ମିଳିବ ଟିକେଟ୍
କୋଣାର୍କ : ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଫଳରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବର୍ତ୍ତମାନ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । କୋଭିଡ୍ ଗାଇଡଲାଇନ୍ ଅନୁସାରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସୋମବାର ଠାରୁ ଖୋଲିବ । ଏଥିନିମନ୍ତେ ପ୍ରବେଶ କରିବା ପାଇଁ ଅନ୍ଲାଇନ୍ରେ ଟିକେଟ ଉପଲବ୍ଧ ହେବ । ମୁଖ୍ୟ ପ୍ରବେଶ ପଥରେ ଏଏସ୍ଆଇର ବୋର୍ଡ ଲଗାଯାଇଛି । ପର୍ଯ୍ୟଟକମାନେ ଏହି ବୋର୍ଡରେ ରହିଥିବା କ୍ୟୁଆର କୋର୍ଡକୁ ସ୍ମାର୍ଟଫୋନରେ ସ୍କାନ କରି ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଭିତରକୁ ପ୍ରବେଶ କରିବେ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅନ୍ଲାଇନରେ ଦୈନିକ ଦୁଇ ହଜାର ପର୍ଯ୍ୟଟକଙ୍କ ପାଇଁ ଟିକେଟ ମିଳିବ । ପରେ ପର୍ଯ୍ୟଟକମାନେ କାଉଣ୍ଟରରୁ ଅଫଲାଇନ୍ ଟିକେଟ କରି ମନ୍ଦିର ଭିତରକୁ ଯାଇପାରିବେ । ସୂଚନା ଯେ, ମହାମାରୀ କରୋନା ଫଳରେ ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟଡାଉନ୍ ଯୋଗୁ ଗତ ଏପ୍ରିଲ ୧୬ ତାରିଖରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିଥିଲା । ବନ୍ଦ ଯୋଗୁଁ ଲାଇଟ ଆଣ୍ଡ ସାଉଣ୍ଡ ସୋ ମଧ୍ୟ ପ୍ରଭାବିତ ହୋଇଛି ।
ଏ ସମ୍ପର୍କରେ ସଂରକ୍ଷଣ ଅଧିକାରୀ ନୀରଜ ସିଂଙ୍କୁ ପଚାରିବାରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ମ୍ୟୁଜିୟମ କୋଭିଡ୍ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ । ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ । ଏଥିନିମନ୍ତେ ଆମ ବିଭାଗ ପ୍ରସ୍ତୁତ ରହିଥିବା କହିଥିଲେ । ସୂଚନା ଥାଉକି ଗତ ତିନି ମାସ ଧରି ସୂର୍ଯ୍ୟମନ୍ଦିର ବନ୍ଦ ପ୍ରଭାବରୁ ପର୍ଯ୍ୟଟନସ୍ଥଳୀ କୋଣାର୍କ ଶୂନଶାନ ହୋଇପଡିଥିଲା । ଏହା ଉପରେ ନିର୍ଭର କରି ଚଳୁଥିବା ଫଟୋଗ୍ରାଫର, ଗାଇଡ, ହୋଟେଲ, ଲଜ୍, ହସ୍ତଶୀଳ୍ପ ଓ ଅନ୍ୟ ବ୍ୟବସାୟୀମାନେ ହତୋତ୍ସାହିତ ହୋଇପଡିଥିଲେ । ସୂର୍ଯ୍ୟମନ୍ଦିର ଖୋଲିଲେ କୋଣାର୍କକୁ ପର୍ଯ୍ୟଟକଙ୍କ ଆଗମନ ବଢିବା ନେଇ ବ୍ୟବସାୟୀମାନେ ଆଶା ବ୍ୟକ୍ତ କରିଛନ୍ତି ।
