ବାଲେଶ୍ୱର : ଦିନକରେ ୬୪ ସଂକ୍ରମିତ ଓ ୯୭ ସୁସ୍ଥ
ବାଲେଶ୍ୱର : ରାଜ୍ୟର ଅନ୍ୟାନ୍ୟ ଜିଲାରେ ସଂକ୍ରମଣ କମିଥିବା ବେଳେ ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାକୁ ନେଇ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଅଞ୍ଚଳରୁ ମାତ୍ର ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ଅଙ୍ଗାଗଡିଆ, ଆଜିମାବାଦ, ଭାସ୍କରଗଞ୍ଜ, ମଲିକାଶପୁର, ରାଣୀପାଟଣା, ସହଦେବଖୁଂଟା, ଷ୍ଟେସନ ଛକ, ସୁନହଟ ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି । ଦିନକରେ ବାଲେଶ୍ୱର ପୌରାଞ୍ଚଳରେ ମୋଟ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବସ୍ତା ବ୍ଲକରୁ ୭ଜଣ, ବାଲିଆପାଳରୁ ୧୯ଜଣ, ଭୋଗରାଇରୁ ୮, ଜଳେଶ୍ୱରରୁ ଜଣେ, ନୀଳଗିରରୁ ୩, ରେମୁଣାରୁ ୯ ଓ ସଦର ବ୍ଲକରୁ ୯ଜଣ ବ୍ୟକ୍ତି ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତ ନୂଆ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି ।
ଅଦ୍ୟାବଧି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮,୦୫୫ରେ ପହଞ୍ଚଥିବା ବେଳେ ଏବେ ସୁଦ୍ଧା ୩୬,୮୬୫ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଏବେ ସକ୍ରିୟ ଥିବା ୯୯୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୦୩ଜଣ ଗୃହ ସଙ୍ଗରୋଧରେ ଏବଂ ୭୭ଜଣ କୋଭିଡ ଡାକ୍ତରଖାନା ଓ କୋଭିଡ ଯତ୍ନ କେନ୍ଦ୍ର ରହି ଚିକିତ୍ସିତ ହେଉଛନ୍ତି । ତେବେ ଗତ ୨୪ଘଂଟା ମଧ୍ୟରେ ୮୮ ବର୍ଷର ଜଣେ ପୁରୁଷ ଏବଂ ୩୪ ବର୍ଷର ଜଣେ ମହିଳାଙ୍କୁ ମିଶାଇ ମୋଟ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ଜିଲାରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୦ରେ ସ୍ଥିର ରହିଥିବା ସରକାରୀ ୱେବସାଇଟରେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱରରେ ସାମୁହିକ ଟିକାକାରଣ ତ୍ୱରାନ୍ୱିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଅଗଷ୍ଟ ମାସରେ ଏହି ଅଭିଯାନ ଆହୁରି କ୍ରିୟାଶୀଳ ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି କ୍ରମରେ ଅଗଷ୍ଟ ୨ ଓ ୩ ତାରିଖରେ ୪୫ରୁ ଉର୍ଦ୍ଧ୍ୱ ବୟସର ୧୦୨୫୦ଜଣ ଓ ୧୮-୪୪ ବର୍ଷ ବର୍ଗର ୭,୧୦୦ଜଣ ବ୍ୟକ୍ତି ଟିକା ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସମଗ୍ର ଜିଲାରେ ମୋଟ ୧୦୮ଟି ଟିକା ପ୍ରଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏବେ ସୁଦ୍ଧା ବାଲେଶ୍ୱର ଜିଲାରେ ମୋଟ ୮,୧୫,୫୨୯ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୫,୭୨,୯୩୩ ଜଣ ପ୍ରଥମ ଡୋଜ ଓ ୨,୪୨,୫୯୬ ଜଣ ଦ୍ୱିତୀୟ ଡୋଜ ଟିକା ନେଇ ସାରିଥିବା ଜଣାପଡିଛି ।
