ବଢ଼ିଲା ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର
- ସିଲିଣ୍ଡର ପିଛା ୭୩ଟଙ୍କା ୫୦ ପଇସା ମହଙ୍ଗା
ନୂଆଦିଲ୍ଲୀ : ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ବଢ଼ିଲା ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦର । ପେଟ୍ରୋଲ ଓ ଡିଜେଲର ବଢୁଥିବା ଦାମ ମଧ୍ୟରେ ପୁଣି ତୈଳ କମ୍ପାନିମାନେ ଵାଣିଜିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି। ୧୯ କେଜି ସିଲିଣ୍ଡର ପିଛା ଦର ୭୩ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ଵାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ଫଳରେ ପୁଣି ଖାଦ୍ୟ ସାମଗ୍ରୀର ଦାମ ବଢିବ ବୋଲି ଅନୁମାନ କରାଯାଇଛି । ତେବେ ୧୪.୨ କେଜିର ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ତୈଳ କମ୍ପାନୀଙ୍କ ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ୧ ହଜାର ୬୨୩ ଟଙ୍କାରେ ପହଞ୍ଚିଛି। ଦର ସଂଶୋଧନ ପୂର୍ବରୁ ଏହି ଗ୍ୟାସ୍ ସିଲିଣ୍ଡର ପିଛା ୧ହଜାର ୫ଶହ ଟଙ୍କାରେ ଉପଲବ୍ଧ ହେଉଥିଲା। ତେବେ ମୁମ୍ବାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୧ ହଜାର ୫୭୯ ଟଙ୍କା ୫୦ ପଇସାରେ ପହଞ୍ଚିଥିବା ବେଳେ କୋଲକାତାରେ ୧ ହଜାର ୬୨୯ ଟଙ୍କା ୫୦ ପଇସାରେ ପହଞ୍ଚିଛି। ତେବେ ତୈଳ କମ୍ପାନୀଙ୍କ ନୂତନ ସଂସୋଧନରେ ଚେନ୍ନାଇରେ ଏପରି ସିଲିଣ୍ଡର ପିଛା ଦର ୧ ହଜାର ୭୬୧ ଟଙ୍କାରେ ପହଞ୍ଚିଥିବା ବେଳେ କମର୍ସିଆଲ ଗ୍ୟାସ ସିଲିଣ୍ଡର କ୍ଷେତ୍ରରେ ଏହା ଦେଶର ସର୍ବୋଚ୍ଚ ଦର ବୋଲି ଜଣାପଡିଛି। ସୂଚନା ଯେ, ତୈଳ କମ୍ପାନୀମାନେ ପ୍ରତି ମାସର ୧ ତାରିଖର ଦର ସଂଶୋଧନ କରନ୍ତି। ଅଗଷ୍ଟ ମାସର ସଂଶୋଧନରେ କମର୍ସିଆଲ ଏଲପିଜି ମହଙ୍ଗା ହୋଇଛି। ଅନ୍ୟପକ୍ଷରେ ଗତମାସରେ ତୈଳ କମ୍ପାନୀମାନେ ଡୋମେଷ୍ଟିକ ଗ୍ୟାସ୍ ମୂଲ୍ୟରେ ୨୫ଟଙ୍କା ୫୦ ପଇସା ବୃଦ୍ଧି କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖା ଦେଇଥିଲା। ଅନିୟନ୍ତ୍ରିତ ମୁଦ୍ରାସ୍ପିତିରେ ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ଲୋକଙ୍କ ବଜେଟ୍କୁ ପ୍ରଭାବିତ କରିଛି। ଏଥିରେ ଏବେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହୋଇଛି।
