ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୪ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୪୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଭଦ୍ରକ, କଟକ, ଖୋର୍ଦ୍ଧା ଜିଲାରୁ ୮ଜଣ ଲେଖାଏଁ ରହିଥିବା ବେଳେ ପୁରୀ, ସୁନ୍ଦରଗଡ଼ ଜିଲାରୁ ୭ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲାରୁ ୪ଜଣ ରହିଥିବା ବେଳେ ଢେଙ୍କାନାଳ, ନୟାଗଡ଼ ଜିଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଅନୁଗୁଳ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ ଜିଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୯୬୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୭୮,୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୫୬,୮୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୮୫୮ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୫,୯୬୬ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
