ନୀଳଗିରି ରଘୁନାଥଜୀଉ ମଠ ରୂପରେଖ ବଦଳିଲା
- ରାମ-ଲକ୍ଷ୍ମଣ-ସୀତାଙ୍କର ବିଗ୍ରହ ପ୍ରତିଷ୍ଠା
ନୀଳଗିରି : ଦୁଇ ଶହ ବର୍ଷର ପୁରୁଣା ନୀଳଗିରି ଜଗନ୍ନାଥ ମନ୍ଦିର ନିକଟସ୍ଥ ମହନ୍ତ ମନ୍ଦିର ବା ରଘୁନାଥ ଜୀଉ ମଠ (ମନ୍ଦିର)ର ଶ୍ରଦ୍ଧାଳୁମାନଙ୍କର ସହଯୋଗ ଅର୍ଥରେ ରୂପରେଖର ପରିବର୍ତ୍ତନ ହୋଇଛି । ବହୁ ବର୍ଷ ଧରି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ପରିସର ଜରାଜୀର୍ଣ୍ଣ ପାଲଟି ଯାଇଥିଲା । ଏପରିକି ମନ୍ଦିର ସମେତ, ରୋଷଶାଳା, କୂଅ, ମୁଖଶାଳା ଓ ବିଭିନ୍ନ କୋଠରୀ ଗୁଡ଼ିକ ଭଗ୍ନ ଅବସ୍ଥାରେ ରହିଥିବା ବେଳେ ପୁନଃ ଉଦ୍ଧାର ହୋଇ ପାରି ନ ଥିଲା । ଦୀର୍ଘ ଦିନରୁ ଏହାର ପରିଚାଳନା କମିଟି ରହିଥିଲେ ମଧ୍ୟ ଇଚ୍ଛାଶକ୍ତିର ଅଭାବରୁ ଅବହେଳିତ ଅବସ୍ଥାରେ ରହିଥିଲା ।
ନୀଳଗିରି ରାଜପରିବାର ପକ୍ଷରୁ ୧୯ଶହ ଶତାବ୍ଦୀରେ ରଘୁନାଥ ଜୀଉ ମନ୍ଦିର (ମଠ)କୁ ତତ୍କାଳୀନ ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜଙ୍କ ଧର୍ମପତ୍ନୀ ତଥା ରାଣୀ ଇନ୍ଦ୍ରାବତୀ ଦେବୀଙ୍କ ତତ୍ତ୍ୱାବଧାନରେ ନିର୍ମାଣ କରାଯାଇଥିଲା । ଏଠାରେ ଶାଳଗ୍ରାମ ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା ଅର୍ଚ୍ଚନା କରାଯାଇ ଆସୁଥିବା ବେଳେ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ବିଗ୍ରହ ରଖାଯାଇ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ ହୋଇଆସୁଅଛି । ୨୭ବର୍ଷ ଧରି କାର୍ଯ୍ୟ କରିଆସୁଥିବା କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କମିଟିର କୌଣସି ସଦସ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ନଜର ନ ଦେବାରୁ ଦେବତ୍ତୋର କମିଶନର ଉକ୍ତ କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କଲେ । ନୂତନ କମିଟିର ସ୍ଥାୟୀ ସଭାପତି ସ୍ଥାନୀୟ ତହସିଲଦାର, ସଦସ୍ୟ ଭାବେ ସ୍ଥାନୀୟ ଥାନା ଅଧିକାରୀ, ଏନ୍ଏସି ନିର୍ବାହୀ ଅଧିକାରୀ ସମେତ ହରପ୍ରସାଦ ମର୍ଦ୍ଦରାଜ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ରାମଚନ୍ଦ୍ର ମହଲ, କମଳ ମିଶ୍ର, ମହେନ୍ଦ୍ର ନାଥ ବେହେରା, କ୍ଷୀରୋଦ ଦାସ । ନୂତନ କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗ ଯୋଗୁଁ ଏବେ ୨ଶହ ବର୍ଷର ପୁରାତନ ରଘୁନାଥ ଜୀଉ ମନ୍ଦିର ତାର ରୂପରେଖ ବଦଳିଛି । ଏପରିକି ମନ୍ଦିର ସମେତ ଚତୁପାଶ୍ୱର୍ରେ ରଙ୍ଗ କାର୍ଯ୍ୟ, ପ୍ରବେଶ ପଥରେ ମାର୍ବଲ କାମ, ଜରାଜୀର୍ଣ୍ଣ ଗୃହକୁ ପୁନରୁଦ୍ଧାର, ପାନୀୟ ଜଳ ଯୋଗାଣ ଆଦିରେ ବେଶ ପରିବର୍ତ୍ତନ ନୀଳଗିରିବାସୀ ଓ ବୁଦ୍ଧିଜୀବୀ ଏହାକୁ ସ୍ୱାଗତ କରିଛନ୍ତିି । ଏପରିକି ମନ୍ଦିର ଗୃହ ମଧ୍ୟରେ ଥିବା ସିଂହାସନର ନବକଳେବର ହୋଇଛି । କିଛି ଶ୍ରଦ୍ଧାଳୁମାନଙ୍କର ସହଯୋଗରେ ଜରାଜୀର୍ଣ୍ଣ ରଘୁନାଥ ଜୀଉ ମନ୍ଦିର ତାର ପୁନଃ ଜନ୍ମ ପାଇଛି ବୋଲି ସାଧାରଣରେ ବେଶ ଚର୍ଚ୍ଚା ଚାଲିଛି । ରାମ, ଲକ୍ଷ୍ମଣ ଓ ସୀତାଙ୍କର ମୁଗୁନି ପଥରରେ ନିର୍ମିତ ବିଗ୍ରହକୁ ଏଠାରେ ପ୍ରତିଷ୍ଠା କରାଯାଇଛି । ଶ୍ରଦ୍ଧାଳୁଙ୍କ ଦାନରେ ୩ ମୂର୍ତ୍ତିଙ୍କର ବିଗ୍ରହ ବୁଧବାର ବିଧି ରିତୀନିତି ଅନୁଯାୟୀ ମୂର୍ତ୍ତି ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା, ହୋମ ଯଜ୍ଞ, ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଇ ନୂତନ ବିଗ୍ରହକୁ ସ୍ଥାପନ କରାଯାଇଛି । ରଘୁନାଥ ଜୀଉ ମନ୍ଦିରର ଆହୁରୀ ସୌନ୍ଦର୍ଯ୍ୟକରଣ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି କମିଟିର ସଦସ୍ୟମାନେ ।


