ଆଜିିଠୁ ୩୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲଘୁଚାପ ଜନିତ ବର୍ଷା । ପ୍ରାୟ ଅଧାରୁ ଅଧିକାଂଶ ଜିଲାରେ ଲଘୁଚାପର ପ୍ରଭାବ ପଡିବ । ଆସନ୍ତା ୩୦ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଏହି ଲଘୁଚାପ ଜନିତ ବର୍ଷା । ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାଇ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏକ ଲଗୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ଆଜିଠାରୁ ଆସନ୍ତା ୩୦ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ବହୁ ଜିଲାକୁ ୟେଲୋ ୱାଣ୍ଣିଂ ମଧ୍ୟ ଜାରି କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ । ଆଗାମୀ ୩ରୁ ୪ଦିନ ମଧ୍ୟରେ ପଶ୍ଚିମଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୩୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେଳେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଝଡ଼ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ତେଣୁ ଉତ୍ତର ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶା ତଥା ତା’ର ଆଖାପାଖ ଅଞ୍ଚଳ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ ଜଳମଗ୍ନ ଏବଂ ବନ୍ୟା ପରିସ୍ଥିତି ଉପୁଜିପାରେ। ଏଥିପ୍ରତି ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି) ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ବୁଧବାର ୧୩ ଟି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଥିବା ବେଳେ ଗୁରୁବାର ୨୯ ଟି ଜିଲାକୁ ଓ ଶୁକ୍ରବାର ପାଇଁ ୧୦ ଟି ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସୂଚନା ଯେ, ରାଜ୍ୟରେ ଚଳିତଥର ନିଅଣ୍ଟିଆ ମୌସୁମୀ ବର୍ଷା ହୋଇଥିବା ବେଳେ ୪ ଦିନର ଏହି ଲଗାଣ ବର୍ଷା ରାଜ୍ୟର ବର୍ଷା ଅଭାବକୁ ପୁରା କରିବ ବୋଲି ଗୋଟିଏ ପଟେ ଆଶଙ୍କା କରାଯାଉଥିବା ବେଳେ ଅନ୍ୟପଟେ କିଛି ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
