ପରଲୋକରେ କନ୍ନଡ ଅଭିନେତ୍ରୀ ଜୟନ୍ତୀ
ବାଙ୍ଗାଲୋର : ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସେ ସୋମବାର ସକାଳେ ବାଙ୍ଗାଲୋରରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ହେତୁ କନ୍ନଡ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏକ ଟୁଇଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ବହୁତ ବଡ। କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ଅପୂରଣୀୟ କ୍ଷତି ।
କନ୍ନଡ ବ୍ୟତୀତ ଜୟନ୍ତୀ ତାଙ୍କ କ୍ୟାରିୟରରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ଫିଲ୍ମ କରିଥିଲେ। ହିନ୍ଦୀରେ ସେ ଷାଠିଏ ଦଶକରେ ‘ତିନ ବହୁରାନିଆ’, ‘ତୁମସେ ଆଛା କୌନ ହେ’ ଏବଂ ‘ଗୁଣ୍ଡା’ରେ କାମ କରିଥିଲେ। ଅଭିନୟରେ ଜୟନ୍ତୀଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଅଭିନୟ ଶାରଦେ ବା ଅଭିନୟର ଦେବୀ କୁହାଯାଉଥିଲା। ୧୯୬୦ ରୁ ୮୦ ଦଶକ ପର୍ଯ୍ୟନ୍ତ ସେ ୫୦୦ ରୁ ଅଧିକ ଫିଲ୍ମରେ କାମ କରିଥିଲେ। ସେ ସାତଥର କର୍ଣ୍ଣାଟକ ରାଜ୍ୟ ଫିଲ୍ମ ପୁରସ୍କାର ଏବଂ ଦୁଇଥର ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ତାଙ୍କୁ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।
