ବର୍ଷାରେ ଧୋଇଗଲା ଜିରା ନଦୀର ଅସ୍ଥାୟୀ ପୋଲ
ବରଗଡ : ବରଗଡ଼ ସହର ମଧ୍ୟ ଦେଇ ଯାଇଥିବା ଜିରା ନଦୀ ଉପରେ ହୋଇଥିବା ଅସ୍ଥାୟୀ ରାସ୍ତା ବର୍ଷା ପାଣିରେ ଧୋଇଗଲା। ଫଳରେ ବିଛିନ୍ନ ହୋଇଗଲା ବରଗଡ଼ରୁ ଆମ୍ବପାଳିକୁ ଯୋଗାଯୋଗ । ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସେପଟେ ବରଗଡ଼ ସହରର ଜିରା ନଦୀ ଉପରେ ନୂତନ ବ୍ରିଜ ନିର୍ମାଣ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏଁ ତାହା ସମ୍ପୂର୍ଣ ହୋଇପାରି ନାହିଁ। ଯାହା ଫଳରେ ବରଗଡ଼ରୁ ଆମ୍ବପାଳିକୁ ସଂଯୋଗ ପାଇଁ ବ୍ରିଜ ତଳେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ବର୍ଷା ଯୋଗୁଁ ଧୋଇଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଅତି ଶୀଘ୍ର ବ୍ରିଜ ନିର୍ମାଣ ଶେଷ କରିବାକୁ ଦାବି ସାଧାରଣରେ ହୋଇଛି ।
ଗତ ତିନି ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । ଗତ ୨୦୧୮ ମସିହାରୁ ଜିରା ନଦୀ ଉପରେ ନୂତନ ବ୍ରିଜ ନିର୍ମାଣ କାମ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖମଖିଆଳି ନୀତି ଯୋଗୁଁ କାମ ଧିମେଇ ଯାଇଛି। ଏପର୍ଯ୍ୟନ୍ତ ମାତ୍ର ୬ଟି ପିଲର ନିର୍ମାଣ ହୋଇଛି । ଗତ ଚାରି ବର୍ଷ ହେବ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସାତ ଖଣ୍ଡ ଗାଁର ଚାଷୀ,ମୂଲିଆ,ବ୍ୟବସାୟୀ ଓ ସରକାରୀ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ବ୍ରିଟିଶ ଅମଳରୁ ଏଠାରେ ଲୁହା ବ୍ରିଜ ରହିଥିଲା। ସମୟ କ୍ରମେ ଏହି ଲୁହା ପୋଲଟି ଦୁର୍ବଳ ହେବାରୁ ଏହାକୁ ଭାଙ୍ଗି ନୂତନ ପୋଲର ପରିକଳ୍ପନା ହୋଇଥିଲା । ରାଜ୍ୟ ସରକାରଙ୍କ ମଞ୍ଜୁରୀ ଏବଂ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୧୩ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଆସିବା ପରେ ଏହି ଲୁହା ପୋଲକୁ ଭାଙ୍ଗି ଦିଆଯାଇଥିଲା । ତା ପରଠୁ ଯାତାୟତ ପାଇଁ ଏହି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ମାତ୍ର ବର୍ଷାଦିନରେ ଜିରା ନଦୀରେ ବଢି ପାଣି ଆସିଲେ ତାହା ଧୋଇଯାଉଛି । ଏହାକୁ ନେଇ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାରୁ ସେ କହିଛନ୍ତି ଯେ, ଏହାର ମୂଳ ଡିଜାଇନରେ କିଛି ପରିବର୍ତ୍ତନ କରାଯାଇଛି। ଆପ୍ରୁଭାଲ ପାଇଁ ଉପରକୁ ପଠାଯାଇଛି। ଆପ୍ରୁଭାଲ ଆସିଲେ ବ୍ରିଜ କାମ ଶୀଘ୍ର ସମାପ୍ତ ହେବା ସହ ପାଣି କମିଲେ ଅସ୍ଥାୟୀ ରାସ୍ତାର ମରାମତି କରାଯିବ ବୋଲି ସେ କହିଛନ୍ତି ।
