ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୨ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୬୩୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୨ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଜିଲାରୁ ୧୦ଜଣ ରହିଛନ୍ତି । କେନ୍ଦୁଝର ଜିଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଜିଲାରୁ ୨ଜଣ ରହିଛନ୍ତି । ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୫୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୬୯,୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୪୫,୧୭୭ ଜଣ ସୁସ୍ଥ ହୋଇଥିବା ବେଳେ ୧୮,୩୮୧ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୫,୫୭୪ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
