ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ
ବାଲେଶ୍ବର : ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ସେକ ହାଇଦରଙ୍କ ମୃତ୍ୟୁ। ଚୌଦ୍ୱାର ଜେଲ୍ରୁ ବାରିପଦା ନେବା ବାଟରେ ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିବା ବେଳେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି । ଏଥିରେ ହାଇଦର ଶରୀରରେ ୫ରୁ ୬ଟି ଗୁଳି ବାଜିବା ସହ ସେ ଗୁରୁତର ଆହତ ହୋଇଥିଲେ । ଆହତ ହାଇଦରକୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହାଇଦରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଘୋଷଣା କରିଛନ୍ତି । ଡା. ମିଶ୍ର କହିଛନ୍ତି ଯେ ବାଲେଶ୍ବର ଡାକ୍ତରଖାନାକୁ ହାଇଦରଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଅଣାଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତରଖାନାରେ ପ୍ରାୟ ୪ ମିନିଟ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଶରୀରରେ କେତୋଟି ଗୁଳି ବାଜିଛି ତାହା ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ହାଇଦରଙ୍କ ମୃତଦେହକୁ ଆଶୁ ଚିକିତ୍ସା ବିଭାଗରୁ ଶବବ୍ୟବଚ୍ଛେଦ ଗୃହକୁ ନିଆଯାଇଛି। ସେଠାରେ ହାଇଦରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
ସୁରକ୍ଷା ଦୃଷ୍ଟିରୁ ହାଇଦରକୁ ବାରିପଦା ଜେଲ୍କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ସିମୁଳିଆ ନିକଟ ୧୬ ନଂ. ଜାତୀୟ ରାଜପଥରେ ରାସ୍ତାରେ ପ୍ରାୟ ୩ଟା ୨୦ ମିନିଟ ସମୟରେ ପରିଶ୍ରା କରିବା ପାଇଁ କହିଥିଲା । ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରୁଥିବା କଟକ-ଭୁବନେଶ୍ୱର ପୋଲିିସ୍ କମିଶନର୍ ସୂଚନା ଦେଇଥିଲେ । ତାକୁ ଧରିବା ପାଇଁ ପୋଲିସ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହାଇଦରକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିୀ କହିଛନ୍ତି ଯେ ହାଇଦରଙ୍କୁ ଚୌଦ୍ବାର ଜେଲରୁ ନିରାପତ୍ତା ଦୃଷ୍ଟିରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଜଣେ ଇନିସପେକ୍ଟର, ଜଣେ ସବଇନିସପେକ୍ଟର ଏବଂ ଗୋଟିଏ ସେକ୍ସନଫୋର୍ସ ତାଙ୍କୁ ବାରିପଦା ନିଆଯାଉଥିଲା। ଏସକର୍ଟ ପାର୍ଟିଙ୍କ ମଧ୍ୟରୁ ବନ୍ଧୁକ ଛଡ଼ାଇ ଦୌଡ଼ିପଳାଇବାକୁ ଉଦ୍ୟମ କରିଥିଲା। ଏତିକିବେଳେ ଏସକର୍ଟପାର୍ଟି ନିରାପତ୍ତା ଦୃଷ୍ଟିରୁ ଗୁଳି ଚଳାଇଥିଲା। ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ଗୁଳିବିଦ୍ଧ ଅବସ୍ଥାରେ ତାଙ୍କୁ ବାଲେଶ୍ବର ହସପିଟାଲକୁ ନିଆଯାଉଛି। ତେବେ ଏହି ଘଟଣାରେ କୌଣସି ପୁଲିସ ଆହତ ହୋଇନାହାନ୍ତି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଆଜି ଅପରାହ୍ଣ ୩.୨୦ ସମୟରେ ବାଲେଶ୍ବର ଜିଲାର ସିମୁଳିଆଠାରେ ହାଇଦର ପରିଶ୍ରା ଯିବା ପାଇଁ ଏସକର୍ଟପାର୍ଟିଙ୍କ ନିକଟରେ ଯିଦ ଧରିଥିଲା। ଭ୍ୟାନରୁ ଓହ୍ଲାଇବାପରେ ଏସକର୍ଟ କରୁଥିବା ଜଣେ ଗାର୍ଡଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲା ଏବଂ ତାଙ୍କ ସହ ଧସ୍ତାଧସ୍ତା ହୋଇଥିଲା। ତାଙ୍କୁ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଜଣେ ସବଇନିସପେକ୍ଟର ନିଜର ଆତ୍ମରକ୍ଷା ସହିତ ସମସ୍ତଙ୍କୁ ସୁରକ୍ଷା କରିବା ପାଇଁ ହାଇଦରଙ୍କ ଉପରକୁ ଗୁଳି ଚଳାଇଥିଲେ। ହାଇଦରଙ୍କ ପେଟରେ ଗୋଟିଏ ଗୁଳି ବାଜିଛି ଏବଂ ସେ ଏଥିରେ ଆହତ ହୋଇଛନ୍ତି। ଆହତ ହାଇଦରଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ହସପିଟାଲକୁ ନିଆଯାଉଛି।
ସୂଚନା ଯେ, ପୂର୍ବରୁ ଥରେ ହାଇଦର୍ ପୋଲିସ୍କୁ ଚକ୍ମା ଦେଇ ଖସି ପଳାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ହାଇଦରକୁ ଓଡିଶା ଅଣାଯାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ଜେଏମଏଫସି କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ଏହା ସହିତ ହାଇଦରକୁ ଫେରାର କରାଇବା ଘଟଣାରେ ଗିରଫ ହୋଇଥିବା ୨ ଯୁବକ ଏବଂ ଜଣେ ଯୁବତୀକୁ ପୋଲିସ ଗିରଫ କରିଥିଲା ।




