ଆଜି ପ୍ରକାଶ ପାଇବ ସିଆଇଏସ୍ସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଦଶମ (ଆଇସିଏସଇ) ଓ ଦ୍ୱାଦଶ (ଆଇଏସଇ) ଶ୍ରେଣୀ ପରୀକ୍ଷା ଫଳ ଶନିବାର ଅପରାହ୍ନ ୩ଟା ସମୟରେ ପ୍ରକାଶ ପାଇବ। ଏନେଇ ସିଆଇଏସ୍ସିଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ଫଳ ପରିଷଦ ୱେବସାଇଟ୍ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ୱେବସାଇଟ (www.cisce.org or www. results.cisce.org )କୁ ଲଗଇନ୍ କରି ପରୀକ୍ଷା ଫଳ ଦେଖିପାରିବେ। ସେହିପରି ୦୯୨୪୮୦୮୨୮୮୩କୁ ଏସ୍ଏମ୍ଏସ୍ ଜରିଆରେ ଫଳ ଦେଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଚଳିତ ବର୍ଷ ଉତ୍ତର ଖାତା ପୁନର୍ବାର ତନଖି (ରିଚେକ୍) କରିବା ସୁବିଧା ଉପଲବ୍ଧ ନାହିଁ । କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଥିଲେ ତୁରନ୍ତ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବେ । ଦରଖାସ୍ତରେ ସମସ୍ୟାଗୁଡିକୁ ବିସ୍ତୃତ ଭାବେ ଉଲ୍ଲେଖ କରିବେ ବିଦ୍ୟାର୍ଥୀ। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ । ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡ଼ିକୁ ଇ-ମେଲ ଆଇଡି (asicse@cisce.org) ଏବଂ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡିକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଅଗଷ୍ଟ ୧ ପରେ ଦରଖାସ୍ତ ପଠାଇଲେ ବିଚାରକୁ ନିଆଯିବ ନାହିଁ । ମୁଖ୍ୟତଃ ଅଙ୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
