ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : କାର୍ଯ୍ୟାଳୟରେ ଡିଏଫଓ ସଂଗ୍ରାମ କେଶରୀଙ୍କୁ ଜେରା
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଦୈନିକ କିଛିନା କିଛି ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଥିବା ବେଳେ ଏବେବି ଏହି ମୃତ୍ୟୁ ମାମଲାର ଖିଅ ଖୋଜି ପାଇନି ପୋଲିସ୍ । ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ । ଏହାପରେ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା। ଏହି ପରିପ୍ରେକ୍ଷୀରେ ମୃତ୍ୟୁ ମାମଲା ତଦନ୍ତ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ପଚରାଉଚରା । କଡା ସୁରକ୍ଷାବଳୟ ମଧ୍ୟରେ ନିଜ ସରକାରୀ ବସଭବନରୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡିଏଫଓ । ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିସାରିଥିଲେ । ଡିଏଫଓଙ୍କୁ ଜେରା ପରେ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।
ଡିଏଫଓଙ୍କ ନାମରେ ସୌମ୍ୟଙ୍କ ପରିବାର ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି, ଯାହାକୁ ଆଧାର କରି ଆଜି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରୁଛି ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ । ପ୍ରକୃତରେ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ହାତ ରହିଛି କି ନାହିଁ ତାହା ଜେରା ପରେ ହିଁ ସ୍ପଷ୍ଟ ହେବ । ଏହା ସହିତ ଡିଏଫଓ ସଂଗ୍ରାମ ବେହେରା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର କଣ ସମ୍ପର୍କ ରହିଛି ତାହା ଉପରୁ ମଧ୍ୟ ପରଦା ଉଠାଇପାରେ କ୍ରାଇମବ୍ରାଞ୍ଚ । ଅତି ରହସ୍ୟ ଜନକ ଭାବରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସମ୍ପର୍କ ରହିଛି ଏବଂ ଏହା ହିଁ ସୌମ୍ୟଙ୍କ ମୃତ୍ୟୁର କାରଣ ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ତେବେ ମାତ୍ର ୬ ମାସ ତଳେ ଉଭୟଙ୍କ ବାହାଘର ହୋଇଥିବା ବେଳେ ଦୁହିଁଙ୍କ ଭିତରେ ପରକୀୟା ପ୍ରୀତିକୁ ନେଇ ପ୍ରାୟ ସମୟ ଝଗଡା ଲାଗିରହୁଥିଲା ବୋଲି ସୌମ୍ୟଙ୍କ ପରିବାର ଲୋକ ପୋଲିସ୍ କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆଉ ଜଣେ ପୋଲିସ୍ ଅଧିକାରୀ ମଧ୍ୟ ଛନ୍ଦି ହୋଇପଡିଛନ୍ତି, ସେ ହେଉଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ଯିଏକି ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସୌମ୍ୟଙ୍କୁ ନିଆଯାଉଥିବା ଆମ୍ବୁଲାନ୍ସକୁ ପ୍ରାୟ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକାଇଥିଲେ । ତେବେ କେଉଁ କାରଣରୁ ଓଆଇସି ମାଡାମ୍ ଏତେ ସମୟ ଧରି ଆମ୍ବୁଲାନ୍ସ ଅଟକାଇଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ଆଜି ତାଙ୍କୁ ମଧ୍ୟ ଜେରା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଓଆଇସି ମମତା ପଣ୍ଡା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପକୀୟ ବୋଲି ସୂଚନା ମିଳିଛି ।
ସେପଟେ ସାମ୍ନାକୁ ଆସିଛି ଏସିଏଫଓ ସୌମ୍ୟରଞ୍ଜନଙ୍କ ହାତଲେଖା ଚିଠି । ହାତ ଲେଖାରେ ଅନେକ କଥା ଲେଖିଛନ୍ତି ସୌମ୍ୟରଞ୍ଜନ । ଫେବ୍ରୁଆରୀ ୨୨ ଓ ୨୩ରେ ଏହି ଚିଠି ଲେଖିଛନ୍ତି ସୌମ୍ୟରଞ୍ଜନ । ତାଙ୍କ ଲେଖାରେ ରହିଛି- ‘ମୁଁ କେବଳ ତୁମଠାରୁ ଜଣେ ଭଲ ପତ୍ନୀ ଓ ଜଣେ ବନ୍ଧୁର ବ୍ୟବହାର ଆଶା କରେ । ମୁଁ ମୋ ଚାକିରୀରୁ ଇସ୍ତଫା ଦେଇ ତୁମର ଚାକର ହୋଇ ରହିବି। ମୋତେ କେବଳ ତୁମ ପାଦ ତଳେ ଟିକେ ଜାଗା ଦିଅ।’ ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି। ଏହାସହ ୨୦୨୧ ଫେବୃଆରୀ ୨୨ ତାରିଖରେ ଉକ୍ତ ଡାଏରୀରେ ଆଉ ଏକ ପ୍ରସଙ୍ଗ ଲେଖା ହୋଇଛି, ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି। ଏହାପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ଯାହା ନିଷ୍ପତ୍ତି ନେବ ସ୍ବାଧୀନ ଭାବେ ନେଇପାରିବ । ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।’ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୧୧ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ । ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି। ଉଭୟଙ୍କ ବୈବାହିକ ସମ୍ପର୍କ ଠିକ୍ ନଥିବା ଏହି ଲେଖାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
