ପରଲୋକରେ ପୂର୍ବତନ ପିସିସି ସଭାପତି ନିତ୍ୟାନନ୍ଦ ମିଶ୍ର
ବଲାଙ୍ଗିର : ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି, ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ଗୁରୁବାର ସନ୍ଧ୍ୟା ୭.୨୫ ମି. ରେ ୯୫ ବର୍ଷ ବୟସରେ ଭୁବନେଶ୍ୱରସ୍ଥ ଆମ୍ରି ହସପିଟାଲ ଠାରେ ପରଲୋକ ହୋଇଯାଇଛି ବୋଲି ତାଙ୍କ ପୁତ୍ର ବିଭୁଦତ ମିଶ୍ରଙ୍କ ଠାରୁ ଖବର ପାଇଲା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଏକ ଶୋକବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ ମିଶ୍ର ଜଣେ ଅତ୍ୟନ୍ତ ଦକ୍ଷ ଓ ସାଂଗଠନିକ କ୍ଷେତ୍ରରେ ବଳିଷ୍ଠ ଜନନେତା ଥିଲେ । ସାଂସଦରେ ତାଙ୍କର ଭାଷଣରେ ସେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ପ୍ରଭାବିତ କରିପାରୁଥିଲେ । ଜଣେ ସ୍ପଷ୍ଟବାଦୀ ମୂଲ୍ୟବୋଧ ଭିତିକ ରାଜନେତାର ସେ ଉଦାହରଣ ଥିଲେ । ପରଲୋକ ଗତ ଆତ୍ମାର ଶାନ୍ତି କାମନା କରିବା ସଂଗେ ସଂଗେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡା ଏ ଚେଲାକୁମାର, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ମୁଖପାତ୍ର ପଦ୍ମାକର ଗୁରୁ, ପିସିସି ଗଣମାଧ୍ୟମ ସଂଯୋକ ଦୀପକ କୁମାର ମହାପାତ୍ର ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି ।
ସ୍ୱର୍ଗତ ମିଶ୍ର ବଲାଙ୍ଗିର ରାକ୍ସିମୁଣ୍ଡା ଗ୍ରାମରେ ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଯୁବାବସ୍ଥାରୁ କଂଗ୍ରେସ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଆଦିବାସୀ, ହରିଜନଙ୍କ ହକ୍ ପାଇଁ ଲଢ଼େଇ କରିବା ସହ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଏଥିସହିତ କୃଷି ଶ୍ରମିକଙ୍କ ଅଧିକାର ପାଇଁ ବହୁବାର ଆନ୍ଦୋଳନ କରିଥିଲେ । ୧୯୫୪ ମସିହାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି, ୧୯୫୬ ମସିହାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ୧୯୮୪ ରୁ ୮୮ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ସେହିପରି ବଲାଙ୍ଗିରରୁ ଦୁଇଥର (୧୯୮୦-୮୪ ଏବଂ ୧୯୮୫-୮୯)ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଦୀର୍ଘବର୍ଷ ଧରି ଏଆଇସିସି ଏବଂ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ, ରାଜ୍ୟ ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଟି, ରାଜ୍ୟ ହସ୍ତତନ୍ତ ବୋର୍ଡ଼ ସଦସ୍ୟ ଥିଲେ । ରାଜନୈତିକ କ୍ୟାରିଅର ବ୍ୟତୀତ ସେ ଜଣେ ଦକ୍ଷ କ୍ରୀଡାବିତ ଥିଲେ । ଫୁଟବଳ ଖେଳାଳୀ ହୋଇଥିବାରୁ କଲେଜ ଟିମର କ୍ୟାପଟେନ ମଧ୍ୟ ଥିଲେ । ସାଂସଦ ଭାବର ତାଙ୍କ କାର୍ଯ୍ୟକାଳରେ ବଲାଙ୍ଗିର ବଡ଼ମାଳଠାରେ ଗୋଳାବାରୁଦ କାରଖାନା, ମୁଖ୍ୟ ଡ଼ାକଘର କୋଠା, ରାଜେନ୍ଦ୍ର କଲେଜରେ ବିଭିନ୍ନ ପିଜି ଏବଂ ବାଣିଜ୍ୟ ବିଭାଗ କୋଠା ଖୋଲିଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରେ ଆଇସିଡ଼ିଏସ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ଆଜି ସନ୍ଧ୍ୟାରେ ତାଙ୍କ ପରଲୋକ ଖବର ପ୍ରଚାର ହେବାପରେ କଂଗ୍ରେସ ତଥା ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କ ପରଲୋକ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଛନ୍ତି । ସେହିଭଳି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା, ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା ପ୍ରମୁଖ ଶେକ ବ୍ୟକ୍ତକରି ଏହା ଦଳର ଅପୂରଣିୟ କ୍ଷତି ବୋଲି ଚହିଛନ୍ତି ।
