ବକରିଦ ଅବସରରେ ଅଟାରୀ-ୱାଘା ବର୍ଡରରେ ପାକିସ୍ତାନ ସେନାକୁ ମିଠା ପ୍ରଦାନ କଲେ ବିଏସଏଫ ଅଧିକାରୀ
ନୂଆଦିଲ୍ଲୀ : ଦେଶରେ ଆଜି ବକରିଦ ପର୍ବ ପାଳନ କରାଯାଉଛି। କରୋନା କଟକଣା ଯୋଗୁଁ ସହରର ମସଜିଦଗୁଡିକରେ ଅଧିକ ଭିଡ଼ ଦେଖିବାକୁ ମିଳିନଥିଲା। ଲୋକେ ନିଜ ଘରେ ନମାଜ ପଢିଥିଲେ। ଏଥି ସହିତ ଭାରତ-ପାକିସ୍ଥାନ ସୀମାରେ ବିଏସଏଫ ଅଧିକାରୀମାନେ ପାକିସ୍ତାନୀ ସେନାର ଅଧିକାରୀମାନଙ୍କୁ ମିଠା ପ୍ରଦାନ କରିଥିଲେ।
ବକରିଦ ପର୍ବ ଅବସରରେ ଅଟାରୀ-ୱାଘା ସୀମାରେ ଭାରତୀୟ ସାମରିକ ବାହିନୀ ବିଏସଏଫ ଅଧିକାରୀମାନେ ପାକିସ୍ତାନ ସେନା ବାହିନୀର ଅଧିକାରୀଙ୍କୁ ମିଠା ପ୍ରଦାନ କରିଥିଲେ। ଏହା ସହିତ ପାକିସ୍ତାନ ସେନା ମଧ୍ୟ ବିଏସ୍ଏଫ୍ ଅଧିକାରୀଙ୍କୁ ମିଠା ଏବଂ ଫଳ ମଧ୍ୟ ପ୍ରଦାନ କରିଥିଲେ। ଭାରତ ଓ ପାକିସ୍ତାନ ସୀମାର ପର୍ବ ପର୍ବାଣିରେ ମିଠା ଆଦାନ ପ୍ରଦାନ ହୋଇଥାଏ। ଭାରତ-ବାଂଲାଦେଶ ସୀମାରେ ଥିବା ଫୁଲବାରୀରେ ବିଏସଏଫ ୫୧ ବାଟାଲିୟନ ଏବଂ ବର୍ଡର ଗାର୍ଡ ବାଂଲାଦେଶ ୧୮ ମଧ୍ୟରେ ବି ମିଠା ବିନିମୟ ହୋଇଥିଲା। ରାଜସ୍ଥାନରେ ପାକିସ୍ତାନ ସୀମାରେ ବିଏସଏଫ ଏବଂ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ବି ମିଠା ବିନିମୟ ହୋଇଥିଲା।
