ଦେଶରେ କରୋନା କାଳରେ ଅକ୍ସିଜେନ ଅଭାବରୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇନି
FILE PHOTO: Patients suffering from the coronavirus disease (COVID-19) get treatment at the casualty ward in Lok Nayak Jai Prakash (LNJP) hospital, amidst the spread of the disease in New Delhi, India April 15, 2021. REUTERS/Danish Siddiqui/File Photo
ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ପ୍ରକୋପ ଜାରି ରହିଛି । ଏବେ ବି ଟଳିନି ବିପଦ । କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ରାଜ୍ୟସଭାରେ କରୋନା କାଳରେ ଅକ୍ସିଜେନ ଅଭାବ ହେତୁ ଜଣେ ବି ରୋଗୀଙ୍କ ମୃତ୍ୟୁ ହୋଇ ନଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି କି ସ୍ୱାସ୍ଥ୍ୟ ରାଜ୍ୟ ସରକାରଙ୍କ ବିଷୟ। ବିସ୍ତୃତ ନିୟମାବଳୀ ଅନୁଯାୟୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିୟମିତ ପ୍ରଦାନ କରିଥାଆନ୍ତି। ତେବେ ଏଯାବତ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ ହେତୁ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି।
ସଂସଦରେ କଂଗ୍ରେସ ନେତା କେସି ବେଣୁଗୋପାଳ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ବାସ୍ତବରେ ଅକ୍ସିଜେନ ଅଭାବରୁ ହସ୍ପିଟାଲରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି ? ଏହାର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ କହିଛନ୍ତି, ସ୍ଵାସ୍ଥ୍ୟ ରାଜ୍ୟର ବିଷୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କରୋନା ସମୟରେ ହୋଇଥିବା ମୃତ୍ୟୁ ବିଷୟରେ ସୂଚିତ କରାଇବାକୁ ଗାଇଡ୍ଲାଇନ୍ ଦିଆଯାଇଥିଲା। କୌଣସି ବି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରିପୋର୍ଟରେ କୁହାଯାଇ ନାହିଁ ଯେ, ଅକ୍ସିଜେନରେ କାହାରି ମୃତ୍ୟୁ ଘଟିଛି। ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ମହାମାରୀର ପ୍ରଥମ ଲହରରେ ଅକ୍ସିଜେନର ଚାହିଦା ୩୦୯୫ ମେଟ୍ରିକ ଟନ ଥିଲା। କିନ୍ତୁ ଦ୍ଵିତୀୟ ଲହରରେ ଏହା ବୃଦ୍ଧି ଘଟି ପ୍ରାୟ ୯୦୦୦ ମେଟ୍ରିକ ଟନରେ ପହଞ୍ଚିଥିଲା। ହେଲେ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ରିପୋର୍ଟରେ ଏହା ଉଲ୍ଲେଖ କରି ନାହାନ୍ତି ଯେ, କରୋନାର ଦ୍ଵିତୀୟ ତରଙ୍ଗରେ ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ଘଟିଛି। କରୋନାଜନିତ ମୃତ୍ୟୁର ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗାଇଡଲାଇନ୍ ଦିଆଯାଇଥିଲା।
