ଅସରାଏ ବର୍ଷାରେ ବେହାଲ ହେଲେ ରାଜଧାନୀବାସୀ
ଭୁବନେଶ୍ୱର : ଭୁବନେଶ୍ୱରରେ ଅସରାଏ ବର୍ଷାରେ ବେହାଲ ହେଲେ ରାଜଧାନୀବାସୀ । ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷାରେ ରାଜଧାନୀର ଅଧିକାଂଶ ଅଂଚଳର ଜଳମଗ୍ନ ହୋଇଯାଇଥିଲା । ତଳିଆ ଅଂଚଳରେ ପାଣି ପଶିଯାଇଥିବା ବେଳେ ରାସ୍ତା ପରେ ମୁଣ୍ଡେ ଉଚ୍ଚାରେ ପାଣି ଚାଲୁଥିଲା । ଚିରାଚରିତ ଢଙ୍ଗରେ ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ବିତ୍ପାତ ରଚିଛି ଅଦିନିଆ ବର୍ଷା । ଚତୁପାର୍ଶ୍ୱ ଜଳମଗ୍ନ ହେବା ସହ ରାସ୍ତାରେ ବହୁ ଉଚ୍ଚାରେ ପାଣିଚାଲିବା ହେତୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନେକ ସ୍ଥାନରେ ଗାଡ଼ି ମୋଟର ପାଣି ଭିତରେ ଫସି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପାଖାପାଖି ଦୁଇ ଘଂଟା ଧରି ରାଜଧାନୀବାସୀ ହଇରାଣ ହୋଇଥିଲେ । ବିଭିନ୍ନ ବସ୍ତି ଅଂଚଳ ସମେତ ତଳିଆ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା । ଇସ୍କନ ସମ୍ମୁଖରେ ପାଣି ଜମିବା ହେତୁ ଗାଡି ଭାସିବାର ଦେଖିବାକୁ ମିଳିଥିଲା ।
ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଦ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏହି ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଉତ୍ତର ଓଡ଼ିଶା ଏବଂ ଦକ୍ଷୀଣ ଓଡ଼ିଶାର ଜିଲ୍ଲା ଏବଂ ଉପକୂଳ ଓଡିଶାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକର ଗୋଟି ଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନାଥିବା ଆକଳନ କରିଛି ପାଣିପାଗ ବିଭାଗ।
