ରାତି ପାହିଲେ ବାହୁଡା : ଆଜି ରାତି ୮ରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ
- ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୋଲିସର ଫ୍ଲାଗ୍ମାର୍ଚ୍ଚ
- କର୍ଫ୍ୟୁ ସମୟରେ ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ
ପୁରୀ : ରାତି ପାହିଲେ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଗଡ଼ିବ ତିନି ରଥ । ଶ୍ରୀଗୁଣ୍ଡିଚା ଆଗରେ ଦଣ୍ଡାୟମାନ ଅଛନ୍ତି ୩ରଥ । ଏଥର ରଥ ଉପରେ ଶ୍ରୀଜିଉଙ୍କ ମନ ପୁରାଇ ଦେଖିପାରିଲେନି ଭକ୍ତ । ତେବେ ରଥକୁ ଟିକିଏ ଛୁଇଁବାକୁ ମନ ବଲାଇଛନ୍ତି ଭକ୍ତ । କିନ୍ତୁ ବଡଦାଣ୍ଡରେ ଲାଗିଛି କଟକଣା । ରଥ ଚାରିପଟେ ଘେରାଯାଇଛି ବ୍ୟାରିକେଡ୍ । ଏହି ବ୍ୟାରିକେଡ ପାଖକୁ ଗଲେ ଘଉଡ଼ାଉଛି ପୋଲିସ । ବଡଦାଣ୍ଡରେ କଡା ପୋଲିସ ପହରା ସାଙ୍ଗକୁ ଜାରି ରହିଛି କଡାକଡ଼ି ଚେକିଂ। ଏହି ପରିପ୍ରେକ୍ଷୀରେ ଷୋମବାର ରାତି ୮ରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ । ସେହିପରି କର୍ଫ୍ୟୁ ସମୟରେ ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ ପୋଲି ପୋଲିସ ପକ୍ଷରୁ ସତର୍କ କରାଯାଇଛି।
ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ଜୁଲାଇ ୨୦ ମଙ୍ଗଳବାର ବାହୁଡାଯାତ୍ରା ଓ ୨୧ ବୁଧବାର ସୁନାବେଶ । ଶ୍ରୀଗୁଣ୍ଡିଚା ପରି କରୋନା କଟକଣାରେ ହିଁ ହେବ ବାହୁଡ଼ା ଯାତ୍ରା। କଟକଣା ପାଇଁ ଭଗବାନଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ। ଆଜି ଶେଷ ଆଡ଼ପ ଅଭଡ଼ା ମିଳିବ। ତେବେ ବାହୁଡ଼ା ଦଶମୀ ପାଇଁ ତିନି ରଥ ପ୍ରସ୍ତୁତ । ଭୋଇ ସେବକଙ୍କ ସହ ବିଶ୍ବକର୍ମା ଏବଂ ପୂର୍ବତଟ ରେଲଓ୍ବେ ଅଧିକାରୀ ରଥ ଯାଞ୍ଚ କରିବା ସହ ମୋଡ ଦେଇଛନ୍ତି। ସେହିପରି କରୋନା କଟକଣା ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ। ପୁରୀ ଏସପି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିବା ବେଳେ ବଡ଼ଦାଣ୍ଡରେ ବନ୍ଦ ରହିବ ସମସ୍ତ ପ୍ରତିଷ୍ଠାନ। ଏପରିକି ଆଜି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ କୌଣସି ବସ କିମ୍ବା ଟ୍ରେନ ପ୍ରବେଶ କରିପାରିବ ନାହିଁ। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇଛି। ସେହିପରି ବାହୁଡ଼ାଯାତ୍ରାର ଭିଡିଓଗ୍ରାଫି କରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସ ନିଷ୍ପତ୍ତି ନେଇଛି। ଏହା ଛଡ଼ା ପୋଲିସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥା କରାଯାଉଛି। ଏହି ଟିମ୍ ଯଦି କୌଣସି ବ୍ୟତିକ୍ରମ ଦେଖନ୍ତି, ତେବେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ହିଁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଟାଉନ ଥାନା, ସିଂହଦ୍ବାର ଥାନା, କୁମ୍ଭାରପଡ଼ା ଥାନା ଏବଂ ସମୁଦ୍ରକୂଳ ଥାନା ପୁଲିସକୁ ଏନେଇ ଦାୟିତ୍ବ ଦିଆଯାଇଛି। ଅମାନିଆଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ ଯଦି କେହି ଅମାନିଆ ଧରାହୁଅନ୍ତି, ତେବେ ସେମାନଙ୍କୁ ଥାନାକୁ ନିଆଯାଇ କାଗଜପତ୍ର ଯାଞ୍ଚ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୋଲିସ ପକ୍ଷରୁ ଫେସ୍ବୁକ୍, ଟ୍ବିଟର ଆଦିକୁ ସବୁବେଳେ ଯାଞ୍ଚ କରାଯାଉଛି। କିଛି ପ୍ରମାଣ ମିଳିବା ମାତ୍ରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଡ. ସିଂହ କହିଛନ୍ତି।
