ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୫୮ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୬୪୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୫୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯ ଜଣ ରହିଥିବା ବେଳେ ବରଗଡ଼ ଜିଲାରୁ ୭ଜଣ ରହିଛନ୍ତି । ଗଞ୍ଜାମ ଜିଲାରୁ ୫ଜଣ ରହିଥିବା ବେଳେ ବଲାଙ୍ଗୀର ଜିଲାରୁ ୪ଜଣ ରହିଛନ୍ତି । ବାଲେଶ୍ୱର, କଟକ, ପୁରୀ, ସମ୍ବଲପୁର ଜିଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ହଜାର ୧୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୫୫,୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୩୦,୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୩୮୭ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୫,୧୧୬ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
