ତାଲିବାନ ସହ ଲଢେଇରେ ଭାରତର ସହାୟତା ନେବ ଆଫଗାନିସ୍ତାନ
ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକା ଓ ନାଟୋର ସୈନିକ ପ୍ରତ୍ୟାହାର ପରେ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ତାଲିବାନର ଅରାଜକତା ବଢିବାରେ ଲାଗିଛି। ତାଲିବାନ ଦେଶର ୮୦ ପ୍ରତିଶତ ଅଂଶ କବ୍ଜା କରିଥିବା ଦାବି କରୁଛି। ତାଲିବାନ ଆଫଗାନିସ୍ତାନର ଶାସକ ଭାବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଅନେକ ଦେଶ ସହ ଯୋଗାଯୋଗ କରୁଛି। ତାଲିବାନ ଏହା ଦର୍ଶାଇବାକୁ ଚେଷ୍ଟା କରୁଛି ଯେ, ସେ ୨୦ ବର୍ଷ ପୂର୍ବେ ଯାହା ଥିଲା ବର୍ତ୍ତମାନ ସେମିତି ଆଉ ନାହିଁ। ସମୟ ଅନୁସାରେ ତାଲିବାନ ବଦଳି ସାରିଛି। ପାକିସ୍ତାନ ମଧ୍ୟ ତାଲିବାନକୁ ଆଫଗାନ ସରକାରରେ ଭାଗିଦାରୀ କରିବାକୁ ଯୁକ୍ତି ବାଢି ଆସିଛି। ଏହା ମଧ୍ୟରେ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଫଗାନିସ୍ତାନ ନେତା ତାଲିବାନ ସହ ଦୋହାରେ ଆଲୋଚନା କରିବେ। ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ଆଲୋଚନାରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍ କାରଜାଇ ମଧ୍ୟ ସାମିଲ ହେବେ। ମାତ୍ର ଆଫଗାନିସ୍ତାନ କହିଛି ଯେ, ଯଦି ତାଲିବାନ ସହ ବାର୍ତ୍ତା ବିଫଳ ହୁଏ ତେବେ ସେମାନେ ଭାରତଠୁ ସୈନ୍ୟ ସହାୟତା ମାଗି ପାରନ୍ତି। ଭାରତରେ ଅବସ୍ଥାପିତ ଆଫଗାନିସ୍ତାନ ରାଜଦୂତ ଭାରତର ସହାୟତା ନିଆଯିବ ବୋଲି କହିଛନ୍ତି ।
ଭାରତରେ ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଣ୍ଡଜେ ଏନଡିଟିଭି ସହ ଆଲୋଚନା ବେଳେ ସ୍ପଷ୍ଟ କରିଛନ୍ତି ଯେ, ସାହାଯ୍ୟ ଆଧାରରେ ଭାରତ ନିଜର ସୈନିକ ପଠାଇବ ନାହିଁ ବରଂ ଆଫଗାନ ସୈନିକଙ୍କୁ ପ୍ରଶିକ୍ଷଣ ସହ ବୈଷେୟିକ ସାହାଯ୍ୟ ଯୋଗାଇ ଦେବ। ତାଲିବାନ ଓ ଆଫଗାନ ସରକାରଙ୍କ ପ୍ରତିନିଧି ଦେଶରେ ବଢୁଥିବା ଅରାଜକତା ମଧ୍ୟରେ ଆଲୋଚନା ଜାରି ରଖିଛନ୍ତି। ଆମେରିକା ଘୋଷଣା କରିଛି ଯେ, ଆଫଗାନିସ୍ତାନରେ ଅଗଷ୍ଟର ଶେଷ ସୁଦ୍ଧା ସୈନ୍ୟ ମିଶନ ପୂରା ହୋଇଯିବ। ଅନ୍ୟପକ୍ଷରେ ଦୋହାରେ ଜାରି ଶାନ୍ତି ବାର୍ତ୍ତା ଆପାତଃ ବିଫଳ ହୋଇ ସାରିଛି। ତାଲିବାନ ଏବେ ସଂପୂର୍ଣ୍ଣ ବିଜୟର ଘୋଷଣା ପାଇଁ ପ୍ରସ୍ତୁତ କରୁଛି। ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଣ୍ଡଜେ କହିଛନ୍ତି, ଯଦି ତାଲିବାନ ସହ ଶାନ୍ତି ଆଲୋଚନା ସଫଳ ନହୁଏ ତେବେ ଆଗାମୀ ବର୍ଷରେ ଆମକୁ ଭାରତୀୟ ସୈନ୍ୟ ସହାୟତାର ଆବଶ୍ୟକ ପଡିବ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଭାରତକୁ ଆଫଗାନିସ୍ତାନ ସୈନ୍ୟ ପଠାଇବାର ଆବଶ୍ୟକତା ନାହିଁ, ବରଂ ଆମକୁ ରଣନୈତିକ ସହାୟତାର ଆବଶ୍ୟକତା ରହିଛି ।
