ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଇବାର କମାଣ୍ଡର ସହ ୩ ଆତଙ୍କବାଦୀ ମୃତ
ପୁଲୱାମା : ପୁଲୱାମା ଠାରେ ମଙ୍ଗଳବାର ମଧ୍ୟରାତ୍ରିରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ମୁହାଁମୁହିଁରେ ବୁଧବାର ସକାଳୁ ଏକ ବଡ଼ ସଫଳତା ମିଳିଛି । ସୁରକ୍ଷା କର୍ମୀମାନେ ଏହି ଆକ୍ରମଣ ମଧ୍ୟରେ ଲସ୍କର-ଏ-ତୋଇବାର କମାଣ୍ଡର ଅବୁ ହୁରୈରା ସହ ତିନିଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ସେଠାରେ ଅନ୍ୟ ଆତଙ୍କବାଦୀ ଉପସ୍ଥିତ ଥିବାର ଆଶଙ୍କାରେ ଛାନଭିନ୍ ଜାରି ରହିଛି ।
ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ମଙ୍ଗଳବାର ମଧ୍ୟରାତ୍ରୀରେ ସୁରକ୍ଷାକର୍ମୀଙ୍କ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ମିଳିଥିଲା । ସୂଚନାକ୍ରମେ ପୋଲିସ୍, ସେନା ଏବଂ ସିଆର୍ପିଏଫ୍ର ଜବାନମାନେ ସେହି ଅଂଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ଯାଂଚ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ତିନି ଆତଙ୍କବାଦୀ ଘେରାବନ୍ଦୀ ଭାଙ୍ଗି ପଳେଇବା ପାଇଁ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାପରେ ମୁହାଁମୁହିଁ ଆରମ୍ଭ ହୋଇଥିଲା । ବୁଧବାର ସକାଳୁ ଜାରି ହୋଇଥିବା ଏହି ମୁହାଁମୁହିଁ ସମୟରେ ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଇବାର କମାଣ୍ଡର ସହିତ ତିନି ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।
