୫୫୦ ଗ୍ରାମର ବ୍ରାଉନସୁଗାର ସହ ୩୪ଲକ୍ଷ ୮୦ହଜାର ଟଙ୍କା ଜବତ, ୨ ଗିରଫ
ଭୁବନେଶ୍ୱର : ରାଜ୍ୟରେ ଅପରାଧିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବ୍ରାଉନସୁଗାର (ଧଳାଜହର) ବେପାର । ଦୈନିକ ଭାବେ କେଉଁଠୁ ନା କେଉଁଠୁ ବ୍ରାଉନସୁଗାର ଜବତ କରାଯିବ ସହ ଅଭିଯୁକ୍ତ ମଧ୍ୟ ଗିରଫ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା । ଏଥିସହିତ ପାଖାପାଖି ୩୪ଲକ୍ଷ ୮୦ହଜାର ଟଙ୍କା ମଧ୍ୟ କମିସନରେଟ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପକ୍ଷରେ ପୋଲିସର ଚଢାଉ କରିବା କ୍ଷଣି ବହୁ ପରିମାଣର ବ୍ରାଉନସୁଗାର ନଷ୍ଟ କରାଯାଇଥିବା କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଉକ୍ତ ଯୁବକଙ୍କର ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳ ସହିତ ସମ୍ପୃକ୍ତ ରହିଥିବା ଜଣାପଡିଛି । ସାଧାରଣତଃ ପଶ୍ଚିମବଙ୍ଗରୁ ଜଳେଶ୍ୱର ଦେଇ ଓଡ଼ିଶା ମଧ୍ୟକୁ ବ୍ରାଉନସୁଗର ଭଳି ନିଶାଦ୍ରବ୍ୟ ଚାଲାଣ ହେଉଥିବାରୁ ଏ ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଜବତ ହୋଇଥିବା ଏତେ ଟଙ୍କା ସମ୍ପର୍କରେ ମହିଳା ଜଣକ କୌଣସି ସଠିକ ସୂଚନା ଦେଇପାରୁନଥିବାରୁ ଉକ୍ତ ଟଙ୍କା ନିଶା କାରବାରରୁ ଆସିଥିବା ସନ୍ଦେହ କରାଯାଉଛି । ପୋଲିସ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଖୋଜୁଥିବା ସେ କହିଛନ୍ତି । ସୂଚନା ଯେ, ଗତ ୪ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଏତେ ପରିମାଣରର ବ୍ରାଉନସୁଗାର ଓ ଟଙ୍କା ଜବତ ପୋଲିସ ବିଭାଗକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଭୁବନେଶ୍ୱର ଓ କଟକକୁ ବ୍ରାଉନସୁଗାର ମୁକ୍ତ କରିବାକୁ ପୋଲିସ ପକ୍ଷରୁ ଏଭଳି ଅଚାନକ ଚଢାଉ କରାଯିବ ବୋଲି କହିଛନ୍ତି ପୋଲିସ କମିସନର ।
