ଦେଶରେ ଆଉ ୩୮,୭୯୨ କରୋନା ସଂକ୍ରମିତ ଚିହ୍ନଟ ଓ ୬୨୪ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଦେଶରେ ୩୮ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦୦ ଟପିଛି । ଦେଶରେ ଦୈନିକ ପଜିଟିଭ୍ ହାର ଏବେ ୧.୮୧ରେ ରହୁଛି। ଗତ ୨୨ ଦିନ ମଧ୍ୟରେ ଦେଶରେ ପଜିଟିଭ୍ ହାର ୩ ପ୍ରତିଶତ ତଳକୁ ଖସିିଥିବା ରେକର୍ଡ ହୋଇଛି।ଯେହେତୁ ଦେଶରେ ଟିକାକରଣକୁ ଏବେ ଅଧିକ ଗୁରତ୍ବ ଦିଆଯାଇଛି ଏବେ ସୁଦ୍ଧା ସମୁଦାୟ ୩୮.୧୪ କୋଟି ଡୋଜ୍ ଟିକା ଦିଆଯାଇଥିବା ରେକର୍ଡ ରହିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୭ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୮,୭୬,୯୭,୯୩୫ ଜଣଙ୍କୁ ଟିକା ଦିଆଯାଇଛି ।
ବୁଧବାର ଗତ ୨୪ଘଣ୍ଟାରେ ୩୮ହଜାର ୭୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୪ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୧ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୯ଲକ୍ଷ ୪୬ହଜାର ୦୭୪କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୧୧ହଜାର ୪୦୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧ଲକ୍ଷ ୪ହଜାର ୭୨୦ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୨୯ହଜାର ୯୪୬ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
