ପୂର୍ବତନ କ୍ରିକେଟର୍ ୟଶପାଲ ଶର୍ମାଙ୍କ ପରଲୋକ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ରିକେଟର୍ ୟଶପାଲ ଶର୍ମାଙ୍କ ମଙ୍ଗଳ ବାର ସକାଳେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଭାରତ ପକ୍ଷରୁ ସେ ୩୭ ଟି ଟେଷ୍ଟ ମ୍ୟାଚ୍ ଏବଂ ୪୨ଟି ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ । ୧୯୮୩ ରେ ଭାରତ ବିଶ୍ୱକପ୍ ଜିତିବା ପଛରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା ।
ପୂର୍ବତନ କ୍ରିକେଟିୟର ତଥା ୧୯୮୩ ମସିହା ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ୟଶପାଲ ଶର୍ମାଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟ୍ରେ କହିଛନ୍ତି ଯେ, ୧୯୮୩ ମସିହା ବିଶ୍ୱକପ ବିଜେତା ଭାରତୀୟ କ୍ରିକେଟ ଟିମ୍ ସଦସ୍ୟ ୟଶପାଲ ଶର୍ମାଜୀ ଅତ୍ୟନ୍ତ ଆଦରଣୀୟ ଥିଲେ । ସେ କ୍ରିକେଟ ଦଳର ସଦସ୍ୟ, ପ୍ରଶଂସକ ଏବଂ ଉଦୀୟମାନ କ୍ରିକେଟ ଖେଳାଳୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ପ୍ରଧାନମନ୍ତ୍ରୀ ଶୋକାଭିଭୂତ ହୋଇ ୟଶପାଲଙ୍କ ପ୍ରଶଂସା ସହିତ ତାଙ୍କ ପରିବାରବର୍ଗଙ୍କୁ ଶୋକବାର୍ତା ପ୍ରେରଣ କରିଛନ୍ତି ।‘ଓମ୍ ଶାନ୍ତିଃ’
ପୂର୍ବତନ କ୍ରିକେଟର ତଥା ୧୯୮୩ ମସିହାରେ ବିଶ୍ୱକପ ବିଜେତା ଭାରତୀୟ ଟିମର ସଦସ୍ୟ ୟଶପାଲ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ପୂର୍ବତନ କ୍ରିକେଟର ତଥା ୧୯୮୩ ମସିହାରେ ବିଶ୍ୱକପ ବିଜେତା ଭାରତୀୟ ଟିମର ସଦସ୍ୟ ୟଶପାଲ ଶର୍ମାଙ୍କ ବିୟୋଗରେ ମୁଁ ଦୁଖିତ । ତାଙ୍କର ଖୁବ ଭଲ କ୍ୟାରିୟର ଥିଲା ଓ ୧୯୮୩ ବିଶ୍ୱକପରେ ସେ ଦ୍ୱିତୀୟ ସବୁଠାରୁ ରନ ସଂଗ୍ରହକାରୀ ଖେଳାଳୀ ଥିଲେ । ସେ ଜଣେ ଅମ୍ପାୟାର ଓ କ୍ରିକେଟ ଚୟନକର୍ତା ଭାବେ ମଧ୍ୟ କାମ କରିଥିଲେ । ତାଙ୍କର ଯୋଗଦାନକୁ ଭୁଲା ଯାଇ ପାରିବ ନାହିଁ ।
