ଶ୍ରେଷ୍ଠ ପ୍ରଦର୍ଶନ ସହ ପଦକ ଜିିତିବାକୁ ଆହ୍ୱାନ : ପ୍ରଧାନମନ୍ତ୍ରୀ
- ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫାରେନ୍ସିଂରେ ମଙ୍ଗଳବାର ଆଲୋଚନା କରିଛନ୍ତି । ଏଥିରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳି ସାମିଲ ହୋଇଥିଲେ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସମେତ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ଖେଳାଳି ଦୂତି ଚାନ୍ଦ ମଧ୍ୟ କଥା ହୋଇଥିଲେ । ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଟୋକିଓରେ ହେବ ଅଲିମ୍ପିକ୍ସ । ୧୮ଟି ଇଭେଂଟ ପାଇଁ ୧୨୬ ଭାରତୀୟ ଖେଲାଳି ଅଲିମ୍ପିକ୍ସ ଯିବେ । ସମସ୍ତ ଖେଳାଳିଙ୍କୁ ଶୁଭାଶିଷ, ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ । ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପଚାରି ବୁଝିଲେ । ସେହିପରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିିତିବା ପାଇଁ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଖେଳାଳିଙ୍କ ସହ ସେମାନଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ ।
ଓଡ଼ିଶାରୁ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଥିବା ଜଣାପଡ଼ିଛି । ଦୂତୀଙ୍କ ସମେତ ପ୍ରଧାନମନ୍ତ୍ରୀ ତୀରନ୍ଦାଜ ଦୀପିକା କୁମାରୀ, ପ୍ରବୀଣ ଯାଦବ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ମୁଷ୍ଠିଯୋଦ୍ଧା ଆଶିଷ କୁମାରଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡ଼ିଛି । ତେବେ ଦୂତୀ ଚାନ୍ଦ ଅଲିମ୍ପିକରେ ୧୦୦ ଏବଂ ୨୦୦ ମିଟର ଦୌଡରେ ଦେଶର ପ୍ରତିନିଧିତ୍ୱ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ଚାନ୍ଦ ରାଙ୍କକୁ ଆସିବାବେଳେ ସମ୍ମୁଖୀନ ହୋଇଥିବା କଠିନ ଆହ୍ୱାନ ବିଷୟରେ କହିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ, ସାରା ଦେଶ ତାଙ୍କୁ ଟୋକିଓରେ ପୋଡିୟମ ଶେଷ କରୁଥିବାର ଦେଖିବାକୁ ଚାହୁଁଛି । ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ୪ର ୧୦୦ ମିଟର ଇଭେଂଟକୁ ୧୧.୧୭ ସେକେଣ୍ଡ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ କାଟିଦେଇଥିଲେ । ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରିନଥିଲେ । ତେବେ ନିଜର ବିଶ୍ୱ ମାନ୍ୟତା ଅନୁସାରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଜୁନ ୩୦ରେ ଓଡ଼ିଶା ସରକାର ଦୂତୀଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ ।
