ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରୋକ୍
- କୌଣସି ଧାର୍ତ୍ମକ ସ୍ଥାନରୁ ଜଳ ଉଠାଇ ପାରିବେନି
- ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡ଼ିଆ
ଭୁବନେଶ୍ୱର : ରାଜ୍ୟ ସରକାର ଚଳିତବର୍ଷ ମଧ୍ୟ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର ସରକାର ଏଭଳି ନିଷ୍ପତି ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନରୁ ବା ଜଳାଶୟରୁ ଜଳଧରି ଯାତ୍ର୍ରା କରିପାରିବେ ନାହିଁ । ଏହାସହିତ କାଉଡ଼ିଆ ଅବା ବୋଲବମ୍ ଯାତ୍ରୀମାନେ କୌଣସି ଧାର୍ମିକ ସ୍ଥଳ ବା ଶିବ ମନ୍ଦିରକୁ ଚାଲି ଚାଲି ରାସ୍ତାରେ ଯାଇ ପାରିବେ ନାହିଁ । ଏହି ସମସ୍ତ ଧାର୍ମିକ ଗତିବିଧି ଓ ଏକଜୁଟ ହେବା ଉପରେ କଟକଣା ଜାରି କରାଯାଇଛି ।
ସାଧାରଣତଃ ମାନସିକଧାରୀ ବୋଲବମ୍ ବା କାଉଡ଼ିଆମାନେ ଶ୍ରାବଣ ମାସ ଶନିବାର/ରବିବାର/ସୋମବାର ପାଣି ଭାର ନେଇ ଧାର୍ମିକ ସ୍ଥଳରୁ ଚାଲି ଚାଲି କୌଣସି ଶିବ ମନ୍ଦିରରେ ଥିବା ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି । ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଲୋକମାନେ ଖାଲି ପାଦରେ ମାଇଲ ମାଇଲ୍ ବାଟ ଚାଲି ଚାଲି ଶିବ ମନ୍ଦିରରେ ଏହି ଜଳାଭିଷେକ କରିଥାନ୍ତି । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସରକାର ଏସବୁ ଗତିବିଧି ଉପରେ କଟକଣା ଜାରି କରିଛନ୍ତି ।
