୨୪ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରେ ମାଡ଼ ହେବ ସୌରଝଡ଼!
- ପ୍ରଭାବିତ ହେବ ମୋବାଇଲରୁ ବିମାନ ସେବା
ନୂଆଦିଲ୍ଲୀ : ପୃଥିବୀ ଆଡ଼କୁ ଏକ ଶକ୍ତିଶାଳୀ ସୌର ଝଡ଼ ଦ୍ରୁତ ବେଗରେ ମାଡ଼ିଆସୁଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀ ପୃଷ୍ଠରେ ମାଡ଼ କରିବା ଆକଳନ କରାଯାଉଛି। ଏହାର ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେଶନ, ମୋବାଇଲ୍ ଫୋନ୍ ସିଗ୍ନାଲ ଏବଂ ସାଟେଲାଇଟ୍ ଟିଭି ସହ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ବେଗ ଏବେ ଘଣ୍ଟା ପ୍ରତି ପ୍ରାୟ ୧୬ ଲକ୍ଷ କିଲୋମିଟର ରହିଥିବା ଆକଳନ କରାଯାଇଛି। ସମ୍ପ୍ରତି ଏହା ସୂର୍ଯ୍ୟର ବାୟୁମଣ୍ଡଳରୁ ପ୍ରସ୍ଥାନ କରୁଛି। ଖୁବ୍ ଶୀଘ୍ର; ଅର୍ଥାତ୍ ମଙ୍ଗଳ କିମ୍ବା ବୁଧବାର ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ଧକ୍କା ଖାଇବା ସମ୍ଭାବନା ରହିଛି। ଏହା ଯେତିକି ପୃଥିବୀର ନିକଟତର ହେବ ସେହି ଅନୁସାରେ ପୃଥିବୀପୃଷ୍ଠ ଉପରେ ପ୍ରଭାବ ପକାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ଏହାଦ୍ବାରା ଉପଗ୍ରହ ସଂଚାଳନ, ଜିପିଏସ୍ ସଂକେତ ଓ ମୋବାଇଲ ଫୋନ୍ ସଂକେତ ତଥା ଉପଗ୍ରହ ଟିଭି ପ୍ରତି ଅଧିକ କ୍ଷତି ପହଞ୍ଚାଇବା ସହ ଯୋଗାଯୋଗ ବ୍ୟବସ୍ଥା ଓ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ସେମାନେ ଚେତାଇ ଦେଇଛନ୍ତି। ‘ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସ୍ଫେରିକ୍ ଆଡମିନ୍ଷ୍ଟ୍ରେସନ୍’ ବା ନାଓ ଏବଂ ସ୍ପେସ୍ ୱେଦର ଡଟ୍ କମ୍ ୱେବସାଇଟ୍ ଅନୁଯାୟୀ, ସୌର ବାୟୁରେ ପରିବର୍ତ୍ତନ ଜନିତ ସୃଷ୍ଟ ଗହ୍ବର ଯୋଗୁଁ ଏହି ଝଡ଼ ସୃଷ୍ଟି ହୋଇଛି। ଏହା ନିଜ ସହିତ ନିୟୁତ ନିୟୁତ ଟନ୍ ଓଜନର ପ୍ଲାଜ୍ମା ଓ ଧୂଳି ପୃଥିବୀ ଆଡ଼କୁ ନେଇ ଆସୁଛି। ଗତି ଆଧାରରେ ଏହା କେତେବେଳେ ଦୀର୍ଘ ଦିନ ନେଇଥାଏ ତ କେତେବେଳେ ମାତ୍ର ୧୫ରୁ ୧୮ଘଣ୍ଟାରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଛୁଇଁଥାଏ। ଏହି ସୌରଝଡ଼ ଯୋଗୁଁ ପୃଥିବୀର ବାହାର ବାୟୁମଣ୍ଡଳ ଗରମ ହୋଇଯାଇପାରେ; ତେଣୁ ବିମାନଯାତ୍ରା ମଧ୍ୟ ବିପଜ୍ଜନକ। ଦୀର୍ଘ ୪ ବର୍ଷ ଅନ୍ତରରେ ନିକଟରେ ଏଭଳି ଏକ ଛୋଟ ଝଡ଼ ସୃଷ୍ଟି ହୋଇଥିଲା; ଯାହା ଆଟଲାଣ୍ଟିକରେ ରେଡିଓ ୱେଭ୍କୁ ବନ୍ଦ କରିଦେଇଥିଲା। ପୂର୍ବରୁ ୧୯୮୯ରେ ଏଭଳି ସୌରଝଡ଼ ଯୋଗୁଁ କାନାଡାର କ୍ୟୁବେକ ସହରରେ ୧୨ ଘଣ୍ଟା କାଳ ବିଦ୍ୟୁତ୍ ଶକ୍ତି ବିଚ୍ଛିନ୍ନ ହୋଇଯିବା ସହ ସହର ଅନ୍ଧକାରମୟ ହୋଇଯାଇଥିଲା।
ସୂଚନା ଯେ, ଜୁଲାଇ ୩ରେ ସୂର୍ଯ୍ୟର ଦକ୍ଷିଣ ଭାଗରେ ଏକ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ସୋଲାର ଫ୍ଲେୟାର ବା ସୌର କିରଣ ତୀବ୍ର ଗତିରେ ପୃଥିବୀ ଆଡେ ମାଡି ଆସୁଛି। ଆମେରିକା ମହାକାଶ ସଂସ୍ଥା ନାସାର ଆକଳନ ଅନୁଯାୟୀ ସୌର ଝଡ଼ ଘଣ୍ଟାପ୍ରତି ୧୬ ଲକ୍ଷ କିଲୋମିଟର ବେଗରେ ଆସୁଛି। ପୃଥିବୀ ନିକଟବର୍ତ୍ତୀ ହେବା ବେଳକୁ ବେଗ ଆହୁରି ବଢ଼ିପାରେ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବା ପରେ ସାଟେଲାଇଟ୍ ସିଗ୍ନାଲ ପ୍ରଭାବିତ ହେବ। ଫଳରେ ଜିପିଏସ୍ ନେଭିଗେଶନ, ମୋବାଇଲ୍ ଫୋନ୍ ସିଗ୍ନାଲ ଏବଂ ସାଟେଲାଇଟ ଟିଭି ନେଟ୍ଓ୍ବର୍କରେ ସମସ୍ୟା ଦେଖାଦେବ ବୋଲି କୁହାଯାଇଛି। ପୃଥିବୀର ମ୍ୟାଗନେଟୋସ୍ପିୟରରେ ଭୂଚୁମ୍ବକୀୟ ଝଡ଼ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସୌର ଝଡ଼ ଯୋଗୁ ପୃଥିବୀର ବାହ୍ୟ ବାୟୁମଣ୍ଡଳ ଗରମ ହୋଇପାରେ। ଏହାର ପ୍ରଭାବ ମହାକାଶକୁ ପଠାଇଥିବା ସାଟେଲାଇଟ୍ ଉପରେ ମଧ୍ୟ ପଡ଼ିବ। ଫଳରେ ଜିପିଏସ୍ ସହାୟତାରେ ଚାଲୁଥିବା ବିମାନ, ଜାହାଜ, ମୋବାଇଲ ଫୋନ୍ ସେବା ବାଧାପ୍ରାପ୍ତ ହେବ ବୋଲି ସ୍ପେସ୍ ଓ୍ବେଦର ଡଟ୍ କମ୍ ପକ୍ଷରୁ କୁହାଯାଇଛି।
