ଶରଧାବାଲିରେ ଲାଗିଲା ୩ ରଥ
ପୁରୀ : ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଆଜି ସମୟ ଅନୁସାରେ ସଂପର୍ଣ୍ଣ ହୋଇଛି । ୫ଟା୩୫ ସୁଧା ସମସ୍ତ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଠାରେ ପହଂଚିଛନ୍ତି । ସେବାୟତ ମାନଙ୍କର ଆନ୍ତରିକତା କର୍ତବ୍ୟ ଓ ନିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇଛି । ୩ଟା୫ ମିନିଟ୍ ରେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଥିଲା । ୪ଟା୫୫ ମିନିଟ୍ ରେ ଦର୍ପଦଳନ ଓ ୫ଟା୩୫ ମିନିଟ୍ ରେ ନନ୍ଦିଘୋଷ ରଥ ସରଧାବାଲି ସ୍ପର୍ଷ କରିଥିଲା । ମଧ୍ୟାହ୍ନ ଓ୧୨ଟା୦୫ ରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ୧ଟା୫ ରେ ଦେବଦଳନ ଓ ୧ଟା୫୦ ରେ ନନ୍ଦିଘୋଷ ରଥ ରଥ ଟଣା ଆରମ୍ଭ ହୋଇଥିଲା । ୧୧ଟା ରୁ ୧୧ଟା ୫୦ ମଧ୍ୟରେ ଗଜପତି ରାଜା ତିନି ରଥରେ ଛେରାପହଁରା କରିଥିଲେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପୁଲିସ ସୁରକ୍ଷା ମଧ୍ୟରେ ରଥଟଣା ସଂପର୍ଣ୍ଣ ହୋଇଛି । ଚତୁର୍ଦ୍ଧାମୂର୍ତି ସକାଳୁ ସକାଳୁ ଯାତ୍ରା ରେ ଯିବା ପାଇଁ ସଅଳ ବାହାରି ପଡିଥିଲେ । ହୁଳହୁଳି, ହରିବୋଲ,ତେଲିଙ୍ଗିବାଜା,କାହାଳୀ ଓ ଜୟଜଗନ୍ନାଥ ଧ୍ୱନୀ ରେ ବଡଦାଣ୍ଡ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନୀତ୍ୟ ବ୍ୟବହାର୍ଯ୍ୟ ଜିନିଷ କୋଠ ସୁଆଁସିଆ ମାନେ ସିନ୍ଧୁକ ରେ ରଖି ରଥ ଉପରେ ଥୋଇଥିଲେ । ସବୁଠାରୁ ଆକର୍ଷଣୀୟ ଥିଲା ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି ବିଜେ । ଟାହିଆ ସୁସଜ୍ଜିତ ଶ୍ରୀବିଗ୍ରହ ମାନେ ରତ୍ନ ସିଂହାସନ ଛାଡି ରଥାରୂଢ ହୋଇଥିଲେ । ରଥଯାତ୍ରା ଭିତରେ ଚତୁର୍ଦ୍ଧାମୂର୍ତିଙ୍କର ୬ଥର ପହଣ୍ଡି ହୋଇଥାଏ । ଗଜପତି ମହାରାଜା ଦିବ୍ୟସିଂହଦେବ ଶ୍ରୀନଅରରୁ ହାତିଦାନ୍ତ ଓ ରୌପ୍ୟ ନିର୍ମିର୍ତ ମେହେନା ରେ ଆସି ତିନି ରଥ ଛେରାପହଁରା କରିଥିଲେ । ଚଳିତ ବର୍ଷ ଗୁଣ୍ଡିଚାଯାତ୍ରା ସୁରୁଖୁରୁ ରେ ସଂପର୍ଣ୍ଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର,ଜିଲାପାଳ ସମର୍ଥ ବର୍ମା, ଏସପି କେ ବିଶାଲ ସିଂ ପୁରୀ ସେବାୟତ ଙ୍କ ସହ ସବୁ ସରକାରୀ ଅଧିକାରୀ ଓ ପୁରୀ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବର୍ତମାନ ଶରଧାବାଲି ରେ ତିନିରଥ ବିରାଜ ମାନ କରିଛି । ପୁଲିସ ସୁରକ୍ଷା ମଧ୍ୟରେ ତିନି ରଥ ରହିଛି ।
ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରଭୁ ମହାବାହୁ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି । ଶ୍ରୀମନ୍ଦିରରେ ନୀତି ଶୀଘ୍ର ହୋଇଥିବାରୁ ପହଣ୍ଡି ୧ ଘଂଟା ପୂର୍ବରୁ କରାଯାଇଛି । ସକାଳ ୯ଟା୪୦ ସୁଧା ପହଣ୍ଡି କାର୍ଯ୍ୟ ଶେଷ ହୋଇଛି । ରଥଯାତ୍ରା ପାଇଁ ପ୍ରଭୁ ତରତର ହୋଇ ଖେଚେଡି ଭୋଗ ଖାଇ ସେନାପଟ୍ଟା ଲାଗି ହୋଇ ପହଣ୍ଡି ରେ ବାହାରିଥିଲେ । ଭୋର ୪ଟା ରେ ମଙ୍ଗଳ ଆଳତୀ , ୪ଟା୫ ରେ ରୋଷ ହୋମ, ୪ଟା୪୫ ରେ ଅବକାଶ ନୀତି ଶେଷ ହୋଇଥିଲା । ସକାଳ ୫ଟା୫ ରେ ସୂର୍ଯ୍ୟପୁଜା, ୫ଟା ୨୦ ରେ ଦ୍ୱାରପାଳ ପୁଜା, ୫ଟା୪୫ ରେ ସକାଳ ଧୂପ ପାଇଁ ଠେକ ଆସିଥିଲା । ୬ଟା୨୫ ସୁଧା ଗୋପାଳ ବଲ୍ଲଭ ଓ ସକାଳଧୂପ (ଖେଚେଡି ଭୋଗ) ଶେଷ ହୋଇଥିଲା । ଶ୍ରୀମନ୍ଦିର ପୁରୋହିତ ଓ ଶୋତ୍ରିୟ ବ୍ରାହ୍ମଣ ମାନେ ୬ଟା୧୦ ରେ ରଥ ପ୍ରତିଷ୍ଠା କରିଥିଲେ । ବିଜେ କାହାଳୀ ବାଜିବା ପରେ ୬ଟା୫୦ ରେ ମଙ୍ଗଳାର୍ପଣ କରାଯାଇଥିଲା । ୬ଟା୫୫ ରେ ଭୋଗଲାଗି ହୋଇଥିଲା । ସକାଳ ୭ ଟା ରେ ପହଣ୍ଡି ଆରମ୍ଭ ହୋଇଥିଲା । ପୂର୍ବରୁ ନୀତି ନିର୍ଘଂଟରେ ସକାଳ ସାଢେ ୮ ଟା ରେ ପହଣ୍ଡି ଆରମ୍ଭ ପାଇଁ ନୀତି ରହିଥିବା ବେଳେ ଦେଢ ଘଂଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ୯ଟା୪୦ ସୁଧା ଶ୍ରୀସୁଦର୍ଶନ , ଶ୍ରୀବଳଭଦ୍ର, ମାଆ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ରଥ ଉପରେ ବିଜେ କରିଥିଲେ । ୯ଟା୪୫ ରେ ମଦନମୋହନ ବିଜେ କରିଥିଲେ । ୯ଟା୫୫ ରେ ଚିତାଲାଗି ଶେଷ ହୋଇଥିଲା । ଶୀଘ୍ର ପହଣ୍ଡି ହୋଇଥିବାରୁ ଅପରାହ୍ନ ସାଢ଼େ ୫ଟା ସୁଧା ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଂଚିଛି ।
ଶ୍ରୀଜିଉ ମାନଙ୍କୁ ଧାଡି ପହଣ୍ଡି ରେ ରଥ ଉପରକୁ ସେବାୟତ ମାନେ ଭକ୍ତିଭାବର ସହ ଆଣିଥିଲେ । ଘଂଟ ଘଂଟା ପହଉଜ କାହାଳୀରେ ସିଂହଦ୍ୱାର ପ୍ରକମ୍ପିତ ହୋଇଥିଲା । ଜଗମୋହନ ସାତ ପାହାଚ ଠାରେ ଟାହିଆ ଲାଗି ହୋଇଥିଲା । ଟାହିଆ ଲାଗି ପରେ ଶ୍ରୀଜିଉଙ୍କ ପହଣ୍ଡି ସୌନ୍ଦର୍ଯ୍ୟ ପୂର୍ଣ୍ଣ ହୋଇଥିଲା । ବେହେରା ଖୁଂଟିଆ ମାନେ ପହଣ୍ଡି ଆଗେ ଆଗେ ମଣିମା ମଣିମା ଡାକୁଥିଲେ । ହୁଳହୁଳି ହରିବୋଲ ଓ ଜୟଜଗନ୍ନାଥ ଧ୍ୱନୀରେ ସିଂହଦ୍ୱାର ଅଂଚଳ ଭକ୍ତି ପୂର୍ଣ୍ଣ ପରିବେଶ ହୋଇଉଠିଥିଲା । ପୁଷ୍ପାଳକ ମହାଜନ ମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଓ ରାମକୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥରେ ବିରାଜମାନ କରାଇଥିଲେ ତେଲିଙ୍ଗି ବାଜା ବାଜୁଥିଲା । ବଣିଆ ସେବକ ମାନେ ସୋଲ ଚିତା ଛାଉଣୀ ମଠରେ ରଖିଥିଲେ । ରଥ ଉପରେ ତିନି ଠାକୁର ରୁନ୍ଧା ହେବା ପରେ ମାଳଫୁଲ, ବେତ ଓ ସୋଲଚିତା ଲାଗି ହୋଇଥିଲା । ପରେ ପରେ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଶ୍ରୀନଅର କୁ ଡାକରା ଯିବା ପରେ ଗଜପତି ମହାରାଜା ଛେରାପହଁରାକୁ ଆସିଥିଲେ । ସବୁଠାରୁ ଆକର୍ଷର୍ଣୀୟ ଏହି ଛେରାପହଁରା ଦୃଶ୍ୟକୁ ଭକ୍ତମାନେ ଟିଭି ଜରିଆରେ ଦର୍ଶର୍ନ କରି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ପୁରୀ ସହର ଚାରିପଟକୁ ପୁଲିସ ଘେରାଉ କରି ରଖିଛି । କଫ୍ରୁ୍ୟର୍ ଓ ୧୪୪ ବଳରେ ବାହାର ଲୋକମାନେ ପୁରୀକୁ ପ୍ରବେଶ କରିପାରୁନାହାଁନ୍ତି । ମଙ୍ଗଳାଘାଟ ଛକ, ବାଟଗାଁ ଛକ, ହରେକୃଷ୍ଣ ପୁର ଛକ, ନୁଆନଇ ଛକ ଓ ମେରାଇନ ଥାନା ଛକ ଓ ଭୂଦାନ ଛକରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଓ ପ୍ରଦୀପ ସାହୁ, ଉପଜିଲାପାଳ ଭବତରଣ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ତୀକ୍ଷ୍ନ ନଜର ରଖିଛନ୍ତି । ବଡଦାଣ୍ଡର ଦୁଇ ପାଶ୍ୱର୍ ଛାତ ଓ ବାଲକୋନୀ ରୁ ବାସିନ୍ଦା ମାନେ ମଧ୍ୟ ଦର୍ଶନ କରିପାରିନାହାଁନ୍ତି ।



