କେପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟ ଝଟକା, ପ୍ରଧାନମନ୍ତ୍ରୀ ହେବେ ଶେର ବାହାଦୂର
କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ସୁପ୍ରିମକୋର୍ଟ ଝଟ୍କା ଦେଇଛନ୍ତି। କେପି ଓଲିଙ୍କୁ ପଦରୁ ହଟାଇ ଶେର ବାହାଦୁର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ରାଷ୍ଟ୍ରପତିଙ୍କୁ ନିର୍ଦେଶ ଦେଇଛନ୍ତି ନେପାଳର ସର୍ବୋଚ୍ଚ ଅଦାଲତ । ଏହା ସହ ଲଗାତାର ଦ୍ବିତୀୟ ଥର ସଂସଦ ଭାଙ୍ଗିବାକୁ ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଭଣ୍ଡାରୀ ୫ ମାସରେ ଦୁଇ ଥର ପାଇଁ ୨୨ ମେରେ ଲୋକସଭା ଭଙ୍ଗ କରିଦେଇଥିଲେ। ଏହା ସହ ରାଷ୍ଟ୍ରପତି ୧୨ ଏବଂ ୧୯ ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିାର୍ବାଚନ କରିବା ପାଇଁ ଘୋଷଣା କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ୩୦ଟି ଆବେଦନ ହୋଇଥିଲା। ଏହାକୁ ନେଇ ଆଜି ରାୟ ପ୍ରକାଶ ପାଇଛି । ସମସ୍ତ ଆବେଦନକୁ ତର୍ଜମା କରିବା ପରେ କୋର୍ଟ ଶେର ବାହାଦୁର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ନେପାଳର ବିରୋଧୀ ମେଣ୍ଟ ମଧ୍ୟ ଏକ ଆବେଦନ ଦାଖଲ କରିଥିଲା । ତେବେ ଓଲି ଏବେ ନେପାଳରେ ଅଳ୍ପ ମତ ସରକାର ଚଳାଉଛନ୍ତି । କାରଣ ୨୭୫ ସିଦସ୍ୟ ବିଶିଷ୍ଟ ସଂସଦରେ ବିଶ୍ବାସ ମତ ହରାଇସାରିଛନ୍ତି କେପି ଓଲି।
ସୁପ୍ରିମକୋର୍ଟ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକି ୨୦ ଜୁଲାଇ ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ ଶେର ବାହାଦୁରଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଶେର ବାହାଦୁର ଦେଉବା ନେପାଳର ବରିଷ୍ଠ ବିରୋଧୀ ନେତା। ସେ ନେପାଳର ୪୦ ତମ ପ୍ରଧାନମନ୍ତ୍ରୀ ଭାବେ ୨୦୧୭ରେ ଶପଥ ନେଇଥିଲେ। ସେ ୧୯୯୫ରୁ ୧୯୯୭ ପର୍ଯ୍ୟନ୍ତ, ପୁଣି ୨୦୦୧ରୁ ୨୦୦୨ ଏବଂ ୨୦୦୪ରୁ ୨୦୦୫ ଯାଏଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ଶେର ବାହଦୁର ନେପାଳୀ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି ।
