ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍
- ୨ଟି ଗେଟ୍ ଦେଇ ଛଡ଼ାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢୁଥିବାରୁ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ ଡ୍ୟାମ୍ କର୍ତ୍ତୃପକ୍ଷ । ପ୍ରଥମେ ୭ ନମ୍ବର ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟକ୍ରମେ ୨ଟି ଗେଟ୍ ଖୋଲିଛି । ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆଉ କେତୋଟି ଗେଟ୍ ଖୋଲିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ତଳମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଫଳରେ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
ହୀରାକୁଦରେ ୨ଟି ଗେଟ୍ ଖୋଲିଲା ଏବଂ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଗଲା। ରବିବାର ସକାଳ ୧୦ଟା ୭ମିନିଟ୍ ସମୟରେ ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଖୋଲିଛି। ଏବେ ହୀରାକୁଦରେ ୬୦୯. ୩୯ଫୁଟ ଜଳ ଅଛି। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ହୀରାକୁଦ ହେଡ୍ ୱାର୍କସ ଓ ଅତିରିକ୍ତ ସ୍ପିଲ୍ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି। ସୂଚନା ଯେ, ଶନିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୬୯ ରହିଥିଲା। ଜଳଭଣ୍ଡାରକୁ ୭୪,୫୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୩,୪୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ପାୱାର ଚାନେଲ ଦେଇ ୧୯,୦୨୦ କ୍ୟୁସେକ ଓ କେନାଲଗୁଡ଼ିକରେ ୪,୧୯୧ କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୨ କ୍ୟୁସେକ ପାଣି ନେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଗତ ବର୍ଷ ଜୁନ୍ ୨୬ରେ ସେହି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଥିବା ସେତେବେଳେ ଜଳସ୍ତର ୬୧୮ ଫୁଟ୍ ରହିଥିଲା। ଆସନ୍ତାକାଲି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୯.୫୦ ଫୁଟ୍ରେ ପହଂଚିବା ବୋଲି ଆକଳନ କରାଯାଉଛି।
