ବାଲେଶ୍ୱର : ବାଇକ-ସ୍କୁଟି ଦୁର୍ଘଟଣାଗ୍ରସ୍ତ, ୨ ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୨ ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଯେ, ସ୍ଥାନୀୟ କୁଣ୍ଡପୁର ଅଞ୍ଚଳରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପଲସର ବାଇକରେ ଦୁଇ ଜଣ ଏବଂ ସ୍କୁଟିରେ ଦୁଇ ଜଣ ଆସୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ଦୁର୍ଘଟଣାଗସ୍ତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସେମାନଙ୍କୁ ବସ୍ତା ମେଡିକାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲେ ହେଁ ୨ଜଣ ମୃତ୍ୟୁ ବରଣ କରିଥିଲେ । ତେବେ ଦୁର୍ଘଟଣାର କାରଣ କିଛି ଜଣାପଡ଼ିନଥିବା ବେଳେ ଦୁଇ ଗାଡି ମଧ୍ୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ମୃତକଙ୍କ ପରିବାର ପକ୍ଷରୁ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମୃତକ ହେଲେ ବସ୍ତା ଥାନା ସଦାନନ୍ଦପୁର ଗ୍ରାମର ବସନ୍ତ ସାହୁଙ୍କ ପୁତ୍ର ତାରାକାନ୍ତ ଓ ରସଗୋବିନ୍ଦପୁତ୍ର ଥାନା କମରଡ଼ିହା ଗ୍ରାମର ନିଗମାନନ୍ଦ ମହାନ୍ତିଙ୍କ ପୁଅ ତୁଷାରରଞ୍ଜନ ବୋଲି ଜଣାପଡିଛି । ତେବେ ପୋଲିସର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲେ । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି ।
