ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରତିବାଦରେ ନୀଳଗିରି ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ
ନୀଳଗିରି : ନୀଳଗିରି ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକାରେ ନୀଳଗିରି ବ୍ଲକ ବିଜେପି ସଂଗଠନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିଲା ବେଳେ ବିଜେପିର ଶତାଧିକ କର୍ମୀ ସାମିଲ ହୋଇଥିଲେ । ଆୟୋଜିତ ପ୍ରତିବାଦ ସଭାରେ ନୀଳଗିରି ବ୍ଲକରେ ଥିଲାବାଲା ଲୋକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ନେଇ ବକ୍ତବ୍ୟ ଦେଇଥିଲେ। ଅପରପକ୍ଷରେ କେନ୍ଦ୍ର ସରକାରଙ୍କର ପ୍ରଦତ୍ତ ଯୋଜନାରୁ ତୃଣମୂଳସ୍ତରରେ ଗରିବ ଖଟିଖିଆ ଏବଂ ଦିନମଜୁରିଆ ବର୍ଗ ଯୋଜନାରୁ ବାଦପଡ଼ିଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଗତ ଆର୍ଥିକ ବର୍ଷରେ ପକ୍କାଘର ଯୋଜନାରେ ବ୍ଲକରେ ବ୍ୟାପକ ଅନିୟମିତତା ଓ ଦୂର୍ନୀତି ହୋଇଥିବା ଶ୍ରୀ ନାୟକ ବକ୍ତବ୍ୟରେ କହିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପକ୍କାଘର ଥିବା ବହୁ ଥିଲାବାଲା ଧନୀକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଛି ।
ଯେଉଁଥିରେ ଯୋଗ୍ୟ ହିତାଧିକାରୀଙ୍କ ନାମ ସର୍ଭେ ତାଲିକାରୁ ବାଦ ପଡ଼ିଯାଇଛି। ତେଣୁ ଉପଯୁକ୍ତ ହିତାଧିକାରୀଙ୍କ ନାମ ପୁନର୍ବାର ତାଲିକାରେ ଯୋଡ଼ିବା ଦିଗରେ ବ୍ଲକ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ମଧ୍ୟରେ ରାଧାଗୋବିନ୍ଦ ଖଟୁଆ, ଗଗାଂଧର ମିଶ୍ର, ଉପେନ୍ଦ୍ର ଦାସ, କରୁଣାକର ପଣ୍ଡା, ରାଜୀବ ଦାସ ବାବୁ, ବିନୋଦ ମହାନ୍ତି, ଉପେନ୍ଦ୍ର ନାୟକ, ତାପସ ମହାନ୍ତି, ସୁଭାଶିଷ ଆଚାଯ୍ଯ, ସୁଇଟ ବାରିକ୍ ପ୍ରମୁଖ ସାମିଲ ଥିଲେ। ଶେଷରେ ସମବେତ ନେତୃବୃନ୍ଦ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏ ସଂପର୍କିତ ଦାବିପତ୍ର ବିଡିଓ ନମିତା ନାୟକ ଙ୍କୁ ପ୍ରଦାନ କରିଥିଲେ ।

