ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି, ୪ଘଣ୍ଟା ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଏହା ମହାପ୍ରଭୁଙ୍କ ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେପର୍ଯ୍ୟନ୍ତ ଏହି ନୀତି ଚାଲେ ସେହି ସମୟ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥାଏ । ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ସେହିପରି ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁଙ୍କୁ ଲାଗି ହେଉଥିବା ପ୍ରାକୃତିକ ରଙ୍ଗ ହେଉଛି ନାଲି, କଳା, ଧଳା, ହରିତାଳ, ହିଙ୍ଗୁଳ, କସ୍ତୁରୀ ପାରମ୍ପାରିକ ରଙ୍ଗରେ ସେବକମାନେ ମହାପ୍ରଭୁଙ୍କ ମୁଖ ସୃଙ୍ଗାର କରିବେ । ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହେଉଥିବାରୁ ଜୟ ବିଜୟ ମୁଖ୍ୟ ଦ୍ୱାରକୁ ବନ୍ଦ କରାଯିବ । ଏହି ନୀତି ସମ୍ପନ୍ନ ପରେ ଠାକୁରଙ୍କୁ ମହାସ୍ନାନ ଏବଂ ବେଶ କରାଯିବ। ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନ ଲାଗି, ବଡ଼ ସିଂହାର ବେଶ, ବଡ଼ ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।
