ପୁରୀରେ ୧୧ ତାରିଖ ରାତି ୮ରୁ ତିନି ଦିନିଆ କର୍ଫ୍ୟୁ
- ଶନିବାର ସଟଡାଉନ୍ ଉଠାଇଲା ଜିଲ୍ଲା ପ୍ରଶାସନ
- ପୋଲିସ ମୁଖ୍ୟାଳୟ ପକ୍ଷରୁ ରଥଯାତ୍ରା ଡ୍ୟୁଟି ନଥିବା ପୋଲିସଙ୍କୁ ପୁରୀ ଆସିବା ମନା
ପୁରୀ : ରଥଯାତ୍ରା ପାଇଁ ଆଗକୁ ଲାଗୁ ହେବାକୁ ଯାଉଛି ୩ ଦିନିଆ କର୍ଫ୍ୟୁ । ପୁରୀ ସହରର ସମସ୍ତ ଅଞ୍ଚଳରେ ୧୧ ତାରିଖ ରାତି ୮ ଟାରୁ ୧୩ ତାରିଖ ସକାଳ ୮ ଟା ଯାଏଁ କର୍ଫ୍ୟୁ ଲଗାଯିବ । ରଥ ଯାତ୍ରାରେ ଭିଡ କମାଇବାକୁ ତଥା ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ରଥ ଯାତ୍ରା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ ପୁରୀ ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ପୂର୍ବରୁ ଶନିବାର ସଟଡାଉନ୍ କଟକଣାକୁ କୋହଳ କରାଯାଇଛି । ପୁରୀରେ ଶନିବାର ସଟଡାଉନ୍ ଉଠାଯିବା ନେଇ ଆଜି ଏସଆରସିଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏବର୍ଷ ରଥ ଯାତ୍ରା ପୂର୍ବରୁ ପୁରା ସହରରେ କର୍ଫୁ ଲଗାଇବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସାରା ସହରରେ ୧୪୪ ଧାରା ଜାରି ହେବ । ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ । ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ । ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତ୍ତର ରହିବା ପରେ ପରଦିନ ଅର୍ଥାତ୍ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ । ତଥାପି ରଥ ପହଞ୍ଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ।
ସେହିପରି ନିର୍ଦ୍ଦିଷ୍ଟ ଭାବେ ରଥଯାତ୍ରା ଡ୍ୟୁଟି ନଥିବା କୌଣସି ପୁଲିସ ଅଧିକାରୀ ଅଥବା କର୍ମଚାରୀ ଆସନ୍ତା ୨୪ ତାରିଖ ଯାଏ ପୁରୀ ଯାଇ ପାରିବେ ନାହିଁ। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଆଧାରରେ ପୁଲିସ ମୁଖ୍ୟାଳୟରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ରଥଯାତ୍ରା ପାଇଁ ପୁରୀ ସହରରେ ଯେଉଁ କଟକଣା ଜାରି କରାଯାଇଛି, ସେଥିରେ ପୁଲିସର ଦାୟିତ୍ବ ଅଧିକ ବଢି ଯାଇଛି। ଯେଉଁମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ରଥଯାତ୍ରା ଡ୍ୟୁଟି ଦିଆଯାଇଛି, ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ପୁଲିସ ଅଧିକାରୀ ଅଥବା କର୍ମଚାରୀ ପୁରୀ ସହରକୁ ଯାଇ ପାରିବେ ନାହିଁ। ଅନ୍ୟ କୌଣସି ଡ୍ୟୁଟି ଆଳରେ ବି ସେମାନଙ୍କୁ ପୁରୀ ଯିବା ମନା। ଯଦି ସରକାରୀ କାର୍ଯ୍ୟରେ ନିହାତି ଯିବାକୁ ଥାଏ, ତେବେ ସେମାନେ ପୁଲିସ ମୁଖ୍ୟାଳୟରୁ ଏଡିଜି (ଆଇନ ଶୃଙ୍ଖଳା)ଙ୍କ ଅନୁମତି ନେଇ ପୁରୀ ଯିବେ। ବିଭିନ୍ନ ଆଳରେ ପୁଲିସ ଅଧିକାରୀ ଅଥବା କର୍ମଚାରୀ ପରିବାର ଲୋକଙ୍କୁ ନେଇ ରଥଯାତ୍ରା ସମୟରେ ପୁରୀ ଯାଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସ୍ପଷ୍ଟ କରି ଦିଆଯାଇଛି।
