ଅନଲାଇନରେ ପଢିବେ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ, ଇ-ଲେକଚର ବ୍ୟବସ୍ଥାର ଲୋକାର୍ପିତ
ଭୁବନେଶ୍ୱର : ଅନଲାଇନ୍ ରେ ପାଠ ପଢିବେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀ । ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ବ୍ୟବସ୍ଥା କରାଯାଇଛି । ଇ-ଲେକଚର ବ୍ୟବସ୍ଥାକୁ ଆଜି ଲୋକାର୍ପଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ । ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର ଏବଂ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି. ଦ୍ୱାରା ବିକଶିତ କରାଯାଇଥିବା ଏକ ସ୍ୱତନ୍ତ୍ର ପୋର୍ଟାଲ https://vtputkal.odisha.gov.in ରେ ପ୍ରସ୍ତୁତ ଇ-ଲେକ୍ଚରଗୁଡ଼ିକ ସ୍ଥାନିତ କରାଯାଇଛି ।
ବର୍ତମାନ ପାଇଁ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାରର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ୱ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ ୱେବ ପୋର୍ଟାଲରେ ଅପ୍ଲୋଡ କରାଯାଇଛି । ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକ୍ ଚର ଯଥା ସମୟରେ ଅପ୍ଲୋଡ କରାଯିବ । ପରବର୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ ।
