ଶଙ୍ଖ ଧରିଲେ ବିଧାୟକ ସୁକାନ୍ତ ନାୟକ, ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେଡିରେ ହେଲେ ସାମିଲ
ଭୁବନେଶ୍ୱର : ବିଜେଡିରେ ଯୋଗ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସୁକାନ୍ତ ବିଜେଡିରେ ଯୋଗଦେବା ସହ ପୁରୁଣା ଘରକୁ ବାହୁଡିଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ରବିବାର ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ ।

ବିଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ଗତ ୨୦୧୯ରେ ବିଜେଡି ଛାଡିଥିଲୁ । ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆମର ଘରବାହୁଡା ହୋଇଛି । ନୀଳଗିରିରେ ବିକାଶର ଧାରାକୁ ଆଗକୁ ନେବାକୁ ବିଜେଡିରେ ମିଶିଛି ।

ସୂଚନା ଯେ, ଗତ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ସୁକାନ୍ତ । ତେବେ ୨୦୧୯ରେ ସୁକାନ୍ତଙ୍କ ଟିକେଟ କାଟିଥିଲା ବିଜେଡି । ତେଣୁ ବିଜେପିରେ ଯୋଗ ଦେବା ସହ ଟିକେଟ ନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଘରବାହୁଡା କରିଛନ୍ତି ସୁକାନ୍ତ । ନୀଳଗିରିରୁ ପୁଣିଥରେ ସୁକାନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଆପାତଃତ ସ୍ଥିର କରିଛନ୍ତି । କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି ।
