ଅମୃତ ଭାରତ ଷ୍ଟେସନ ଯୋଜନାରେ ବାଲେଶ୍ୱର ଷ୍ଟେସନର ପୁନଃନିର୍ମାଣ ପାଇଁ ଶିଳାନ୍ୟାସ
- ଶ୍ରୀମନ୍ଦିର ଢାଞ୍ଚା ଆଧାରରେ ନିର୍ମିତ ହେବ ବାଲେଶ୍ୱର ଷ୍ଟେସନ, କହିଲେ ପ୍ରଧାନମନ୍ତ୍ରୀ
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ୨୧ଟି ସମେତ ଦେଶର ୫୫୪ଟି ରେଳଷ୍ଟେସନରେ ପୁନଃବିକାଶ ଏବଂ ୧୫୦୦ ରେଳ ଓଭର ବ୍ରିଜ ଓ ରେଳ ଅଣ୍ଡରପାସ ପ୍ରକଳ୍ପଗୁଡ଼ିକର ନିର୍ମାଣ ପାଇଁ ଭିଡିଓ କନଫେରେନସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ଅମୃତ ଭାରତ ଷ୍ଟେସନ ଯୋଜନାରେ ସମୁଦାୟ ଓଡ଼ିଶାର ୫୭ଟି ଷ୍ଟେସନର ପୁନଃନିର୍ମାଣ କରାଯାଉଥିବା ବେଳେ ଏଥିରେ ବାଲେଶ୍ୱର ରେଳ ଷ୍ଟେସନକୁ ସାମିଲ କରାଯାଇଛି । ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବାଲେଶ୍ୱର ରେଳ ଷ୍ଟେସନର ପୁନଃନିର୍ମାଣରେ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାର ସ୍ୱତନ୍ତ୍ରତା ପ୍ରଦର୍ଶିତ ହେବ ବୋଲି କହିଥିଲେ । ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ବାଲେଶ୍ୱର ରେଳ ଷ୍ଟେସନ ନିର୍ମିତ ହେବ ବୋଲି ସୂଚନା ଦେଇଥିଲେ ।
ଦେଶବ୍ୟାପୀ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଧାରାରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ଅମୃତ ଭାରତ ଷ୍ଟେସନ ଯୋଜନାରେ ବାଲେଶ୍ୱରରେ ଉତ୍ତମ ଷ୍ଟେସନ ଆକ୍ସେସିବିଲିଟି, ଫୁଟ୍ ଓଭରବ୍ରିଜ, ୱେଟିଂ ହଲ୍, ଶୌଚାଳୟ, ଲିଫ୍ଟ ଏବଂ ଏସ୍କାଲେଟର ଏବଂ ପରିଷ୍କାର ପରିଚ୍ଛନ୍ନତା, ମାଗଣା ୱାଇ-ଫାଇ, ‘ୱାନ ଷ୍ଟେସନ ୱାନ ପ୍ରଡ଼କ୍ଟ’ ଭଳି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ପାଇଁ କିଓସ୍କ, ଯାତ୍ରୀ ସୂଚନା ପ୍ରଣାଳୀ ଏବଂ ବ୍ୟବସାୟ ସଭା ପାଇଁ ସ୍ଥାନ, ଭିନ୍ନକ୍ଷମଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ ସମାଧାନ ଏବଂ ଫୁଡ୍ ପ୍ଲାଜା, ଉଭୟ ପାର୍ଶ୍ୱରେ ଥିବା ସହରାଞ୍ଚଳ ସହିତ ଷ୍ଟେସନ ଗୁଡ଼ିକର ଏକୀକରଣ ସହିତ ଷ୍ଟେସନ ଗୁଡ଼ିକୁ ସହରର କେନ୍ଦ୍ର ସ୍ଥଳରେ ପରିଣତ ହେବ ବୋଲି କହିଥିଲେ । ସେହିପରି ସେତୁ ଉପରେ ରେଳ ନିର୍ମାଣ ଏବଂ ସେତୁ ତଳେ ରେଳ ନିର୍ମାଣ ଜନସାଧାରଣଙ୍କ ପାଇଁ ଦୃଶ୍ୟମାନ ଲାଭ ଆଣିବ । ଟ୍ରାଫିକ୍ ପ୍ରତିବନ୍ଧକ ହଟାଇ ଯାତାୟତ ନିରାପତ୍ତାକୁ ସୁଦୃଢ଼ ସହ ପରିବହନର ସାମଗ୍ରିକ ଦକ୍ଷତା ବୃଦ୍ଧି କରିବ ବୋଲି କହିଥିଲେ । ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ଅଖିଳେଶ କୁମାର ଉପସ୍ଥିତ ରହି ପୁନଃବିକାଶ ହେବାକୁ ଥିବା ବାଲେଶ୍ୱର ଷ୍ଟେସନର ପରିବର୍ତ୍ତିର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ୧୯୭କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନରେ ଦୈନିକ ୫୦ହଜାର ଯାତ୍ରୀ ଯାତାୟତ କରିପାରିବେ । ଷ୍ଟେସନର ଉଭୟ ପାଶ୍ୱର୍ରେ ଦୁଇଟି ବଡ଼ ବଡ଼ କୋଠା ସହିତ ଷ୍ଟେସନ ଗୃହ ସହ ସଂଯୋଗ ପାଇଁ ୧୮ମିଟର ଚଉଡ଼ାର ରୁଫ୍ ପ୍ଲାଜା ନିର୍ମାଣ କରାଯିବ । ଏଥିରେ ଏସି ଲିଙ୍କ୍ ନିର୍ମାଣ କରାଯିବା ସହ ୧୪ଟି ଲିଫ୍ଟର ବ୍ୟବସ୍ଥା ରହିବ । ଷ୍ଟେସନ ମଧ୍ୟରେ ୬ଟି ଏକ୍ସାଲେଟର ସାଙ୍ଗକୁ ୨୦ଟି ଯାତ୍ରୀମାନଙ୍କ ଯିବା ଆସିବା ସୁବିଧା ପାଇଁ ଗେଟ ରହିବ । ଏହା ବ୍ୟତୀତ ୩ମିଟର ଚଉଡ଼ାର ୩ଟି ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯିବ । ଏହି ମୋଡେଲ ଷ୍ଟେସନରେ ୭ହଜାର ସ୍କୋୟାରଫୁଟର ଏକ ପ୍ରଶସ୍ତ ପାର୍କିଂ ସ୍ଥଳି ରହିବା ସହ ୧୩୩ କେଭି ସୋଲାର ପ୍ୟାନେଲ ମଧ୍ୟ ରହିବ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିକୃତି ସହିତ ପାରମ୍ପରିକ ବାଲେଶ୍ୱର ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ, ଷ୍ଟେସନର ଡିଜାଇନ, ସହରର ସାଂସ୍କୃତିକ ଐତିହ୍ୟକୁ ନୂତନ ରେଳ ଷ୍ଟେସନରେ ପ୍ରତିଫଳିତ ହେବ । ଚାନ୍ଦିପୁର ବେଳାଭୂମୀ ସମେତ ମିଜାଇଲର ପ୍ରତିକୃତି ମଧ୍ୟ ସ୍ଥାନିତ ହେବ । ଏହାଛଡ଼ା ଆଦିବାସୀମାନଙ୍କ ସଉରା ଚିତ୍ରକଳା ପ୍ରଦର୍ଶନ ସାଙ୍ଗକୁ ସାଂସ୍କୃତିକ ସ୍ପର୍ଶ ମଧ୍ୟ ରହିବ ବୋଲି ରେଳ ଅଧିକାରୀ ସୂଚନା ଦେଇଥିଲେ । ସମସ୍ତ କାର୍ଯ୍ୟ ଦୁଇ ବର୍ଷ ଅର୍ଥାତ୍ ୨୦୨୬ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧାର ସମ୍ପୂର୍ଣ୍ଣ ଭାବେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଜିଲା ଭାଜପାର ବହୁ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
