ଦିଲୀପ କୁମାରଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ କଳାକାରଙ୍କ ଭିଡ଼
- ସନ୍ଧ୍ୟା ୫ଟାରେ ହେବ ଅନ୍ତିମ ସଂସ୍କାର
ମୁମ୍ବାଇ : ବର୍ଷିୟାନ ଅଭିନେତା ତଥା ବଲିଉଡ଼ର ଟ୍ରାଜେଡ଼ି କିଙ୍ଗ୍ ଭାବେ ପରିଚିତ ଦିଲୀପ କୁମାର ୯୮ ବର୍ଷ ବୟସରଙ୍କ ବୁଧବାର ସକାଳ ୭ଟା ୩୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ହିନ୍ଦୀ ସିନେଜଗତରେ ଗୋଟିଏ ଯୁଗର ଅବସାନ ଘଟିଛି। ଦିଲୀପଙ୍କ ପାର୍ଥିବ ଶରୀର ଡାକ୍ତରଖାନାରୁ ଆସି ତାଙ୍କ ବାସଭବନରେ ପହଞ୍ଚିସାରିଛି। ତାଙ୍କର ଶେଷ ଦର୍ଶନ ପାଇଁ କଳାକାରଙ୍କ ଭିଡ଼ ଲାଗିଛି। ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟା ୫ଟାରେ ମୁମ୍ବାଇର ଜୁହୁ କବରସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡିଛି।
ଶେଷ ଦର୍ଶନ ପାଇଁ ଶାହରୁଖ ଖାନ ଦିଲୀପ କୁମାରଙ୍କ ବାସଭବନରେ ପହଞ୍ଚିଛନ୍ତି। ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ସାୟରା ବାନୋଙ୍କୁ ସେ ସାନ୍ତ୍ୱନା ଦେଉଥିବାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ତାଙ୍କ ବ୍ୟତୀତ କରଣ, ଅନୀଲ କପୁର, ଜନୀ ଲିଭର, ନେତା ଶରଦ ପାୱାର, ନେତା ଛଗନ ଭୁଜବଲ, ଅନୁପମ ଖେର, ରାଜା ମୁରାଦ ପ୍ରମୁଖ ଶେଷ ଦର୍ଶନ ପାଇଁ ଦିଲୀପ କୁମାରଙ୍କମ ବାସଭବନରେ ପହଞ୍ଚିଛନ୍ତି। ଅପରପକ୍ଷରେ ତାଙ୍କ ମୃତ୍ୟୁରେ ବଲିଉଡର ବହୁ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ, ସନି ଦେୱଲ ଭଳି କଳାକାରମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂଚନା ଯେ, ଦିଲ୍ଲୀପ କୁମାର ଦର୍ଶକଙ୍କୁ ଅନେକ ହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ୬୦ ବର୍ଷର ଲମ୍ବା କ୍ୟାରିୟରରେ ସେ ୬୫ ଟି ସିନେମାରେ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଜ୍ୱାର ଭଟ୍ଟା’ ଓ ୧୯୯୮ ରେ ଶେଷଥର ପାଇଁ ‘କିଲା’ ଚଳଚିତ୍ରରେ ଅଭିନୟ କରିଥିଲେ ।
