ବାଲେଶ୍ୱର : ଡିଆର୍ଡିଓ କେନ୍ଦ୍ରାଞ୍ଚଳ କ୍ରିକେଟ ପ୍ରତିଯୋଗିତା-୨୦୨୪ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଡିଆର୍ଡିଓ ପରିସର ପିଏକ୍ସଇ ପଡ଼ିଆରେ ଡିଆର୍ଡିଓ କେନ୍ଦ୍ରାଞ୍ଚଳ କ୍ରିକେଟ ପ୍ରତିଯୋଗିତା-୨୦୨୪ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଡିଆର୍ଡିଓ କେନ୍ଦ୍ରାଞ୍ଚଳ ଅଧୀନସ୍ଥ ହାଇଦ୍ରାବାଦର ୬ଟି, ଜଗଦଲପୁର ଓ ବିଶାଖାପାଟଣାର ଗୋଟିଏ ଲେଖାଏଁ ତଥା ଚାନ୍ଦିପୁର ପରିସରର ଦୁଇଟି ପ୍ରୟୋଗଶାଳା ଭାଗ ନେଇଛନ୍ତି । ପଞ୍ଚଦିବସୀୟ ଏହି ପ୍ରତିଯୋଗିତାରେ ପ୍ରଥମ ୩ଦିନ ଲିଗ୍ ମ୍ୟାଚ୍, ଚତୁର୍ଥ ଦିନ ସେମିଫାଇନାଲ ତଥା ଅନ୍ତିମ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
ପିଏକ୍ସଇ ନିର୍ଦ୍ଦେଶକ ବୈଜ୍ଞାନିକ ସୁବୋଧ କୁମାର ନାୟକ, ଆୟୋଜନ ସମିତିର ଚେୟାରମ୍ୟାନ୍ କର୍ଣ୍ଣେଲ ରାମଚନ୍ଦ୍ର କ୍ଷେତ୍ରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରି ଡିଆର୍ଡିଓ ତା’ର ଦୈନନ୍ଦିନର ଗବେଷଣା ଓ ଅନୁସନ୍ଧାନ ମୂଳକ କାର୍ଯ୍ୟ ସହିତ କର୍ମଚାରୀମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କୌଶଳ ତଥା ପାରସ୍ପରିକ ସୌହାର୍ଦ୍ଦ୍ୟ, ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ସମୟ ସମୟରେ ଏଭଳି ପ୍ରତିଯୋଗିତାର ଆୟୋଜନ କରିଆସୁଛି । ପ୍ରତିଯୋଗିତାର ସଫଳ ଆୟୋଜନ ପଛରେ ଥିବା କାର୍ଯ୍ୟକର୍ତ୍ତା ମାନଙ୍କର ସହଯୋଗ ପ୍ରଶଂସନୀୟ ବୋଲି କହିଥିଲେ ।
