ବାଲୁଚିସ୍ତାନର ପିସିନ୍ ସହରରେ ବିସ୍ଫୋରଣ : ୨୫ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ
ଇସଲାମାବାଦ : ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ମାତ୍ର ସାଧାରଣ ନିର୍ବାଚନର ଦିନକ ପୂର୍ବରୁ ପାକିସ୍ତାନର ବାଲୁଚିସ୍ତାନର ପିସିନ୍ ସହରରେ ବିସ୍ଫୋରଣ। ଏହି ଘଟଣାରେ ଅତିକମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।
ଏନେଇ ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ବାଧୀନ ପ୍ରାର୍ଥୀ ଅସଫନ୍ଦ ୟାର ଖାନ କାକଡଙ୍କ କାର୍ଯ୍ୟାଳୟ ବାହାରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ କାକଡ ଅଫିସରେ ନଥିଲେ।
ସେହିପରି ବାଲୁଚିସ୍ତାନର ଭାରପ୍ରାପ୍ତ ସୂଚନା ମନ୍ତ୍ରୀ ଜନ ଅଚକଜାଇ କହିଛନ୍ତି, ପ୍ରାଥମିକ ତଦନ୍ତରୁ ବିସ୍ଫୋରକ ସାମଗ୍ରୀ ଏକ ବାଇକରେ ରଖାଯାଇଥିଲା ବୋଲି ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।
ସୂଚନା ଯେ, ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସହ ସମସ୍ତ ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ନିର୍ବାଚନ କମିଶନ ଏହି ବିସ୍ଫୋରଣ ସମ୍ପର୍କରେ ବାଲୁଚିସ୍ତାନର ମୁଖ୍ୟ ସଚିବ ଏବଂ ପୋଲିସଠାରୁ ରିପୋର୍ଟ ମାଗିଛନ୍ତି।
