ପୂର୍ବ ଶତ୍ରୁତାକୁ ନେଇ ହତ୍ୟା! ଟ୍ରାକ୍ଟର ଚପାଇ ଦୁର୍ଘଟଣାର ରୂପ ଦେଲେ ଅଭିଯୁକ୍ତ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ଥାନା ଗାଙ୍ଗପୁରାରେ ଜଣେ ଯୁବକଙ୍କୁ ହତ୍ୟା । ହତ୍ୟା ପରେ ଅଭିଯୁକ୍ତମାନେ ଟ୍ରାକ୍ଟର ଚପାଇ ଘଟଣାକୁ ଦୁର୍ଘଟଣାର ରୂପ ଦେଇଛନ୍ତି । ଏନେଇ ମୃତକଙ୍କ ବାପା ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରେମୁଣା ଥାନା ମାମଲା (ନଂ. ୧୧ ।୨୪) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ସନ୍ଦେହରେ ୪ରୁ ୫ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ।
ଘଟଣାରୁ ପ୍ରକାଶ, ରେମୁଣା ଥାନା ଅଧୀନସ୍ତ କଲ୍ୟାଣପୁର ପଞ୍ଚାୟତ ଗାଙ୍ଗପୁରା ଗ୍ରାମର ଭଗବାନ ପ୍ରଧାନ(୩୫)ଙ୍କ ଓ ଉକ୍ତ ଗ୍ରାମର ଭାଗବତ ପ୍ରଧାନ (୪୫)ଙ୍କ ସହ ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଗତ ଶୁକ୍ରବାର ଗଣ୍ଡଗୋଳ ଘଟିଥିଲା । ମଧ୍ୟରାତ୍ରିରେ ଭଗବାନକୁ ଗାଙ୍ଗପୁରା ଗାଁ ମୁଣ୍ଡରେ ଏକାକୀ ପାଇ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ । ଯୁବକଙ୍କ ମୃତଦେହକୁ ରାସ୍ତାରେ ପକାଇ ତାଙ୍କ ଉପରେ ଟ୍ରାକ୍ଟର ଚପାଇ ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲେ ଅଭିଯୁକ୍ତମାନେ । ଘଟଣା ଜଣାପଡ଼ିବା ପରେ ନୀଳଗିରି ଏସଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କ ସହ ରେମୁଣା ପୋଲିସ୍ ଟିମ୍ ପ୍ରାୟ ଭୋର୍ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଘଟଣାସ୍ଥଳରେ ମୃତ ଯୁବକଙ୍କ ବାଇକ୍ ପଡ଼ିଥିବା ବେଳେ ମୃତ ଦେହ ଠାରୁ କିଛି ଦୂରରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି । ମୃତକଙ୍କ ବାପା ଯୋଗେଶ୍ୱର ପ୍ରଧାନଙ୍କ ଲିଖିତ ଅଭିଯୋଗ ମୂଳେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ବହୁ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ୪ରୁ ୫ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରହିଥିବାର ରେମୁଣା ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ମୃତ ଭଗବାନ ପ୍ରଧାନ ଏକ ବର୍ଷେ ପୂର୍ବରୁ ଜେଲ୍ରୁ ଆସିଥିବା ବେଳେ ବର୍ତ୍ତମାନ ପୋଲିସ୍ ପାଖରେ ଅଟକ ଥିବା ଭାଗବତ ପ୍ରଧାନକୁ ପୂର୍ବରୁ ଆକ୍ରମଣ କରିବା ସହ ହତ୍ୟା ଉଦ୍ୟମ କରିଥିଲା । ଏପରିକି ଉଭୟଙ୍କ ମଧ୍ୟରେ ବହୁବାର ବ୍ୟବସାୟକୁ ନେଇ ଗଣ୍ଡଗୋଳ ମଧ୍ୟ ଲାଗୁଥିବାର ଜଣାପଡ଼ିଛି ।
