କେକେଏସ୍ରେ ‘ନୂଆ-ଓ’ର ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ସହର ମାଣିଖମ୍ବ ସ୍ଥିତ କୁନ୍ତଳା କୁମାରୀ ସାବତ (କେକେଏସ୍) ମହିଳା ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ଉପଲକ୍ଷେ ‘ନୂଆ-ଓ’ ପକ୍ଷରୁ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ବୁଧବାର ଉଦ୍ଘାଟିତ ହୋଇଛି । ଓଡ଼ିଆ ଜାତିର ଭିତ୍ତି, ସ୍ଥିତି, କୀର୍ତ୍ତି ଏବଂ ଅସ୍ମିତାର ପରିଚୟ ହେଉଛି ଜଗନ୍ନାଥ ସଂସ୍କୃତି । ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର । ସେମାନଙ୍କ ଜନଜୀବନ ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଖାଲି ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱକୁ, ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥ ସଂସ୍କୃତି ଏକତା ସୂତ୍ରରେ ବାନ୍ଧିରଖି ଶାନ୍ତି-ମୈତ୍ରୀ-ପ୍ରୀତିର ବାର୍ତ୍ତା ବାଣ୍ଟି ଆସୁଥିବାର ଅତିଥିମାନେ ବକ୍ତବ୍ୟ ରଖିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁବ୍ରତା ଦେବାଙ୍ଗନା ସଭାରେ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ସମ୍ମାନିତ ଅତିଥି ଫକୀର ମୋହନ ବିଶ୍ୱବିିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଓ ମୁଖ୍ୟବକ୍ତା ଭାବେ ସାହିତ୍ୟିକା ଡ. କବିତା ବାରିକ୍ ଯୋଗଦେଇ ଭାଷା ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ପାତ୍ର, ଅଧ୍ୟାପକ ରାଜକିଶୋର ପଣ୍ଡିତ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂଯୋଜିକା ଅଧ୍ୟାପିକା ଡ. ରିଙ୍କି ବେହେରା ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମ ଦିବସରେ କେକେଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ‘ଓଡ଼ିଆ ପରମ୍ପରାରେ ଜଗନ୍ନାଥ ସଂସ୍କୃତି’ ଶୀର୍ଷକରେ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
