ବିଶ୍ୱକପ୍ ୨୦୨୩ : ପଏଣ୍ଟ ଟେବୁଲ୍ ପାଇଁ ଲଢ଼ିବେ ବାଂଲାଦେଶ-ଶ୍ରୀଲଙ୍କା
ନୂଆଦିଲ୍ଲୀ : ବିଶ୍ୱକପ୍ ୨୦୨୩ରେ ଜୋରଦାର ହେଲାଣି ସେମିଫାଇନାଲ ଦୌଡ । ଏହି ପରିପ୍ରେକ୍ଷୀରେ ଆଜି ମୁହାଁମୁହିଁ ହେବେ ବାଂଲାଦେଶ ଏବଂ ଶ୍ରୀଲଙ୍କା । ସୋମବାର ଅପରାହ୍ନ ୨ଟାରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୮ତମ ମ୍ୟାଚ୍ ।
ବର୍ତ୍ତମାନ ଯାଏଁ ବାଂଲାଦେଶ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ୬ଟାରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ଦୁଇ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୯ମ ସ୍ଥାନରେ ରହିଛି । ତେବେ ବାଂଲାଦେଶ ଟିମ୍ ଚଳିତ ବିଶ୍ୱକପ୍ର ସେମି ରେସ୍ରୁ ଆଉଟ୍ ହୋଇସାରିଛି । ତେଣୁ ଆଜିର ମ୍ୟାଚ୍ ଜିତି ସମ୍ମାନ ସହ ପଏଣ୍ଟ ଟେବୁଲ୍ରେ ନିଜ ସ୍ଥିତି ରଖିବାକୁ ନଜର ରଖିବ ।
ସେହିପରି ଶ୍ରୀଲଙ୍କା ଟିମ୍ ବର୍ତ୍ତମାନ ସୁଦ୍ଧା ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୨ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡିଛି । ମୋଟ ୪ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୭ମ ସ୍ଥାନରେ ରହିଛି । ସେମି ରେସ୍ରୁ ଟିମ୍ ଏକପ୍ରକାର ବାହାର ହୋଇସାରିଛି । ତେଣୁ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍ରେ ସ୍ଥିତି ମଜବୁତ୍ କରିବା ଲକ୍ଷ୍ୟ ରଖିବ ।
ସୂଚନା ଯେ, ଆଗାମୀ ଚମ୍ପିଆନସିପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଚଳିତ ବିଶ୍ୱକପ୍ରେ ଶ୍ରେଷ୍ଠ ୭ଟି ଟିମ୍ ଖେଳିବ । ବାକି ପାକିସ୍ତାନକୁ ହୋଷ୍ଟ ଦେଶ ଭାବେ ସୁଯୋଗ ମିଳିବ । ତେଣୁ ଆଜିର ମ୍ୟାଚ୍ ଜିତି ଉଭୟ ଟିମ୍ ପଏଣ୍ଟ ଟେବୁଲ୍ରେ ନିଜ ସ୍ଥିତିକୁ ମଜ୍ବୁତ୍ କରିବାକୁ ନଜର ରଖିବ ।
