ବିଶ୍ବକପ୍ ୨୦୨୩ : କୋହଲି ଓ ଗିଲ୍ଙ୍କ ପରେ ଶ୍ରେୟସଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କାକୁ ୩୫୮ ରନ୍ର ଟାର୍ଗେଟ୍ ଦେଲା ଭାରତ
ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍-୨୦୨୩ରେ ଗୁରୁବାର ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ରୋହିତ ଶର୍ମାଙ୍କ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳା ଯାଉଥିବା ଚଳିତ ବିଶ୍ଵକପ୍ର ୩୩ତମ ମ୍ୟାଚ୍ରେ ଭାରତୀୟ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୫୭ ରନର ବିଶାଳ ସ୍କୋର କରିଛି। ଭାରତ ପକ୍ଷରୁ ଶୁଭମନ ଗିଲ୍ ୯୨ ରନ ଓ ବିରାଟ କୋହଲି ୮୮ ରନର ଦମଦାର ଇନିଂସ ଖେଳିଛନ୍ତି। ଶ୍ରେୟସ ଆୟର ୮୨ ରନର ବିସ୍ଫୋରକ ପାଳି ଖେଳିବାରୁ ଭାରତ ଏହି ସ୍କୋରରେ ପହଞ୍ଚି ପାରିଛି। ଏହି ମ୍ୟାଚ୍ ଜିତି ସେମି ଆଶା ଉଜ୍ଜିବୀତ ରଖିବା ପାଇଁ ଶ୍ରୀଲଙ୍କା ସମ୍ମୁଖରେ ୩୫୮ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ହାରିଲେ ଶ୍ରୀଲଙ୍କା ବିଶ୍ଵକପ୍ରୁ ବାଦ୍ ପଡ଼ିବ।
ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା ୨ଟି ବଲ୍ ସାମ୍ନା କରି ୪ରନ୍ ସଂଗ୍ରହ କରି ପାଭିଲିଅନ୍କୁ ଫେରିଯାଇଥିଲେ। ତାଙ୍କର ସ୍ଥାନ ପୂରଣ କରିଥିଲେ ଅଭିଜ୍ଞ ବ୍ୟାଟର ବିରାଟ କୋହଲି। ଯୁବ ବ୍ୟାଟର ଶୁବମନ୍ ଗିଲ୍ଙ୍କ ସହିତ କୋହଲି ଦ୍ବିତୀୟ ୱିକେଟ୍ରେ ଶତକୀୟ ଭାଗିଦାରୀ କରିଥିଲେ। ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲି ୯୪ଟି ବଲ୍ ଖେଳି ୧୧ଟି ଚୌକା ସହାୟତାରେ ୮୮ ରନ୍ କରି ଏବଂ ଶୁବମନ୍ ଗିଲ ୯୨ଟି ବଲ୍ରୁ ୧୧ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍ କରି ଆଉଟ୍ ହୋଇଥିଲେ। ଯୁବ ବ୍ୟାଟର ଆୟର ବ୍ୟକ୍ତିଗତ ୮୨ ରନ୍ କରିଥିଲେ। ସେ ୫୬ଟି ବଲ୍ରୁ ୩ଟି ଚୌକା ଓ ୬ଟି ବିଶାଳ ଛକା ମାରିଥିଲେ। ମଧ୍ୟକ୍ରମ ବ୍ୟାଟର କେଏଲ୍ ରାହୁଲ ଦଳ ପାଇଁ ୨୧ ରନ୍ ଯୋଡ଼ିଥିଲେ। ସେ ୧୯ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ମାତ୍ର ୧୨ ରନ୍ ଅମଳ ହୋଇଥିଲା। ଆଉଟ୍ ହୋଇ ପାଭିଲିଅନ୍ ଫେରିଯିବା ପୂର୍ବରୁ ସୂର୍ଯ୍ୟକୁମାର ୯ଟି ବଲ୍ ଖେଳି ୨ଟି ଚୌକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଦାଜେଦା ୨୪ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍ କରିଥିଲେ। ମହମ୍ମଦ ସାମି ୨ରନ୍ ଓ ଯଶପ୍ରୀତ ବୁମରା ଅପରାଜିତ ଗୋଟିଏ ରନ୍ କରିଥିଲେ। ଶ୍ରୀଲଙ୍କା ପାଇଁ ଦିଲସାନ ମଧୁଶଙ୍କା ଚମକପ୍ରଦ ବୋଲିଂ କରିଥିଲେ। ସେ ଏକାକୀ ୫ଜଣ ଭାରତୀୟ ଖେଳାଳିଙ୍କୁ ପାଭଲିଅନ ପଠାଇଥିଲେ। ଦୁଷ୍ମନ୍ତ ଚାମିରାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ବେଳେ ଭାରତୀୟ ବ୍ୟାଟର ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସାମି ରନ୍ ଆଉଟ୍ ହୋଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରର ଦ୍ଵିତୀୟ ବଲ୍ରେ ବଡ଼ ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା(୪) କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଦଳର ମଙ୍ଗ ସମ୍ଭାଳିଥିଲେ। ଦୁଇ ବ୍ୟାଟର ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ସ୍କୋର ଆଗକୁ ବଢାଇଥିଲେ। ଏହି କ୍ରମରେ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ଗିଲ୍ ଆଉଟ୍ ହୋଇଥିଲେ। ସେ ସମାନ ୯୨ ବଲ୍ରୁ ୧୧ ଚୌକା ଓ ୨ ଛକା ସହ ୯୨ ରନର ପାଳି ଖେଳିଥିଲେ। ଗିଲ୍ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍ରେ ୧୮୯ ରନର ଭାଗିଦାରୀ ଯୋଡ଼ି ଭାରତର ସ୍ଥିତି ମଜବୁତ କରିବା ସହ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଗିଲ୍ଙ୍କ ପରେ କୋହଲି ମଧ୍ୟ ନିରାଶ ହୋଇଥିଲେ। ୮୮ ରନ କରି ପୁଣି ଥରେ ଶତକରୁ ବଞ୍ଚିତ ହୋଇଥିଲେ କୋହଲି। ତାଙ୍କ ଇନିଂସରେ ୧୧ ଚୌକା ସାମିଲ୍। ୧୯୬ ରନ ସ୍କୋରରେ ଭାରତ ଦୁଇ ଇନଫର୍ମ ବ୍ୟାଟରକୁ ହରାଇଥିଲା। ଏହାପରେ ଶ୍ରେୟସ ଆୟର ଓ କେଏଲ ରାହୁଲ ଚତୁର୍ଥ ଓ୍ଵିକେଟ୍ରେ ୬୦ ରନ ଯୋଡ଼ିଥିଲେ। କେଏଲ ରାହୁଲ ୨୧ ରନ କରି ଆଉଟ୍ ହୋଇଇଥିଲେ। ଅନ୍ୟପଟେ ଶ୍ରେୟସ ଆୟର ଫର୍ମକୁ ଫେରି ଚଳିତ ବିଶ୍ଵକପରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ଯାଦବ(୧୨) ନିରାଶ କରିଥିଲେ। ଶେଷ ଆଡ଼କୁ ଶ୍ରେୟସ ଦ୍ରୁତ ବ୍ୟାଟିଂ କରି ୫୫ ବଲ୍ରୁ ୩ ଚୌକା ଓ ୬ ଛକା ସହ ୮୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଆଉଟ୍ ହେବା ପୂର୍ବରୁ ଜାଡ଼େଜାଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍ ପାଇଁ ୫୭ ରନ ଯୋଡ଼ିଥିଲେ। ରବୀନ୍ଦ୍ର ଜାଡ଼େଜା ୩୪ ରନ କରି ଶେଷ ବଲ୍ରେ ରନ ଆଉଟ୍ ହୋଇଛନ୍ତି। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୫୭ ରନ କରିଛି। ବୋଲିଂରେ ଶ୍ରୀଲଙ୍କା ପକ୍ଷରୁ ଏକମାତ୍ର ବୋଲର ହିସାବରେ ଦିଲଶାନ ମଦୁଶଙ୍କା ୫ ଓ୍ଵିକେଟ୍ ହାସଲ କରିଛନ୍ତି। ହେଲେ ସେ ୧୦ ଓଭରରେ ୮୦ ରନ ବ୍ୟୟ କରିଛନ୍ତି।
