ଆଜି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସାମିଲ ହେବେ ଗଞ୍ଜାମ ଓ ସୁବର୍ଣ୍ଣପୁର
ଭୁବନେଶ୍ୱର : ଆଜି ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲାରେ ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଦୁଇ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ୨୫୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ ହଜାର ୭୦୬ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଜିଲ୍ଲାର ସମସ୍ତ ୨୨ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେବ । ସୁବର୍ଣ୍ଣପୁର ଜିଲ୍ଲାରେ ୫୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ ହଜାର ୪୧୯ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ ।
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳଭିତ୍ତି । ଅକ୍ଟୋବର ୧୦ ତାରିଖରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ସାମିଲ ହେବେ । ମୋଟ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।
